‘ବିଧାନସଭାକୁ ବନ୍ଦ କରିବା ପାଇଁ କରୋନା ଏକ ବାହାନା’

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ମୁଲତବୀ ରଖାଯିବାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସରକାର ଭୟଭୀତ ହୋଇ କରୋନା ବାହାନାରେ ଗୃହକୁ ବନ୍ଦ କରିଛନ୍ତି।  ବିଧାନସଭା ଚାଲିଥିଲେ ସରକାରଙ୍କ ମୁଖା ଖୋଲିଥାନ୍ତା। ବିଜେଡି ସରକାରର ଚରିତ୍ର ପଦାକୁ ଆସିଥାନ୍ତା।

କରୋନାକୁ ନେଇ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ କରାଉଛନ୍ତି। ସରକାରଙ୍କ ଘୋଷଣା ଯୋଗୁଁ ଦୋକାନ ବଜାରକୁ ଲୋକ ଆସୁନାହାନ୍ତି। ଶ୍ରମିକମାନେ ମଧ୍ୟ କାମ ପାଇଁ ଆସୁନାହାନ୍ତି। ଅନେକ ରାଜ୍ୟ ବିଧାନସଭା ବନ୍ଦ କରିନାହାନ୍ତି  ଲୋକସଭା ଓ ରାଜ୍ୟସଭା ବି ବନ୍ଦ ହୋଇନାହିଁ।

ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଓ ନେତାମାନଙ୍କୁ ହାତ ଧୁଆଇ ସ୍ୱଚ୍ଛତା ଶିଖାଉଛନ୍ତି। ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି ମାର୍ଚ୍ଚ ୧୯ରେ ଟଙ୍କା ନ ଆସିଲେ ଏମାନେ ଆତ୍ମସାତ୍ କରିଛନ୍ତି ବୋଲି ଧରାଯିବ।

ସେହିପରି ପ୍ରେସ୍ ମିଟରେ ଉପସ୍ଥିତ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୋହନ ମାଝୀ କହିଲେ, ଶୀତ ଅଧିବେଶନରେ ୧୭ ଦିନ ପୂର୍ବରୁ ଗୃହକୁ ବନ୍ଦ କରିଦେଇଥିଲେ। ଏବେ ବଜେଟ ଅଧିବେଶନରେ ୧୩ଟି କାର୍ଯ୍ୟଦିବସ ପୂର୍ବରୁ କରୋନା ବାହାନା କରି ବନ୍ଦ କରିଦେଲେ। ଏଥିରେ କେଉଁମାନଙ୍କୁ ଅନୁକମ୍ପା ମିଳିଲା ବୋଲି ସେ ପଚାରିଛନ୍ତି।

ସେହିପରି ନବୀନ ଓ ତାଙ୍କ ଦଳକୁ କରୋନା ଆକ୍ରାନ୍ତ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କୁ  ହାତବାରିସି କରି ଏକତରଫା ବିଧାନସବା ବନ୍ଦ କରିଦେଲେ। ଏଠି  ଆଇଏଏସ ଓ ଆଇପିଏସଙ୍କ କୋଟେରୀ ଶାସନ ଚାଲିଛି ବୋଲି ସେ କହିଛନ୍ତି।

ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ବିଜେପିର ଅଭିଯୋଗ ଦୁର୍ଭାଗ୍ୟଜନକ। ସାରା ଦେଶ ଓ ସାରା ବିଶ୍ୱ କରୋନା ସଂକ୍ରମିତ ହୋଇଛି। ଆମେରିକା ଜାତୀୟ ବିପତ୍ତି ଘୋଷଣା କଲାଣି।

ବିରୋଧୀ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ  ଚାହୁଁନାହାନ୍ତି। ସବୁବେଳେ ହଟ୍ଟଗୋଳ କରୁଛନ୍ତି। ବିପର୍ଯ୍ୟୟ ପରିଚଳାନାରେ ଓଡିଶା ମଡେଲ ଷ୍ଟେଟ।  ଅନ୍ୟମାନେ ଓଡ଼ିଶାକୁ ଫଲୋ କରୁଛନ୍ତି। ବିରୋଧୀ ଦଳ ନେତା ଭଳି ଜଣେ ଦାୟିତ୍ୱ ସମ୍ପନ୍ନ ପଦବୀରେ ଥିବା ବ୍ୟକ୍ତିଙ୍କ ପାଇଁ ଏକଥା କହିବା ଶୋଭା ପାଉନି।

You might also like