ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଅଭିଯାନ

ଭୁବନେଶ୍ୱର: ବିଜେପି କ୍ୟାପ୍‌ଟେନ୍‌ ସିଟ୍‌ ବସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆରମ୍ଭ କରିବାକୁ ଯାଉଛନ୍ତି ୧୨୦ ଦିନିଆ ଅଭିଯାନ। ବିଭିନ୍ନ ରାଜ୍ୟକୁ ସାଧାରଣ ନିର୍ବାଚନ ପୂର୍ବରୁ ଗସ୍ତ କରିବେ ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ସିଟ୍ ବୃଦ୍ଧି ଲାଗି ରଣନୀତି ସମ୍ପର୍କରେ ସମୀକ୍ଷା କରିବେ। ତାସାଙ୍ଗକୁ ଗୁରୁ ମନ୍ତ୍ର ବି ଦେବେ ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଏହି ଅଭିଯାନ।

ବିଜେପିର ଲୁକ୍ ଇଷ୍ଟ ଫର୍ମୁଲାରେ ଓଡ଼ିଶା ବି ରହିବ ଫୋକସ୍‌ରେ। ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀରେ ନଡ୍ଡା ତିନି ଦିନିଆ ଓଡିଶା ଗସ୍ତରେ ଆସିପାରନ୍ତି। ଅମିତ ଶାହଙ୍କ ଅଧୁରା ସ୍ୱପ୍ନ ମିଶନ ୧୨୦ ପ୍ଲସ୍‌କୁ ସାକାର କରିବାକୁ ରୋଡ ମ୍ୟାପ୍ ପ୍ରସ୍ତୁତ କରିବେ। ଏହାସହ ଡବଲ ଇଞ୍ଜିନ୍ ସରକାର ଓ ସାଂଗଠନିକ ବିସ୍ତାର ବିଷୟରେ ପଦାଧିକାରୀ ଓ କର୍ମୀଙ୍କ ସହ କରୋନା କାଳରେ ଭର୍ଚୁଆଲ୍ ମିଟିଂ କରିବେ। ଏହାପରେ ରାଜ୍ୟ କର୍ମକର୍ତ୍ତାଙ୍କୁ ଟାସ୍କ ବି ଦେଇପାରନ୍ତି।

ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପି ଶିବିରରେ ସଞ୍ଜୀବନୀ ଛିଞ୍ଚିବ ବୋଲି ବିଜେପି ଆଶା ରଖିଛି କିନ୍ତୁ କଂଗ୍ରେସ କଟାକ୍ଷ କରି କହିଛି ଶାହଙ୍କ ୧୨୦ ପ୍ଲସ ମିଶନ୍‌ରୁ କେବଳ ଟ୍ୱେଣ୍ଟି ପ୍ଲସ୍ ରହିଲା କିଏ ଶକ୍ତିଶାଳୀ ତାହା ସମୟ କହିବ। ସେପଟେ ବିଜେଡି କହିଛି ଓଡିଶାରେ ଆମେ ବିକଳ୍ପ ବିହୀନ ଦଳ।

୨୦୧୯ ସାଧାରଣ ନିର୍ବାଚନରେ ଅମିତ ଶାହ ଘନ ଘନ ଓଡିଶା ଗସ୍ତ କରି ରଣନୀତି ପ୍ରସ୍ତୁତ କରିଥିଲେ। ଫଳ ସ୍ବରୂପ ଦଳ ଲୋକସଭାରେ ୨୧ରୁ ୮ଟି  ସିଟ୍ ଦଖଲ କଲା। ୨୩ ବିଧାୟକଙ୍କ ସହ ବିଜେପି ବିଧାନସଭାରେ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରେ ଦଳ ଶୋଚନୀୟ ପ୍ରଦର୍ଶନ କରିଛି। ବାଲେଶ୍ୱରରେ ନିଜ ଗଡକୁ ବଞ୍ଚାଇବାରେ ବିଫଳ ହେଲା। ଫଳରେ ୨୩ ବିଧାୟକରୁ ସଂଖ୍ୟା ଖସି ଏବେ ୨୨ରେ ପହଞ୍ଚିଛି। ଅନ୍ୟପଟେ ଦେଖିବାକୁ ଗଲେ ଦଳ ପାଖରେ ଅନେକ ପ୍ରସଙ୍ଗ ଥିଲେ ସୁଦ୍ଧା ପ୍ରସଙ୍ଗ ଉତ୍ଥାପନ ଲାଗି ମିଳିତ ସ୍ୱର ଶୁଣିବାକୁ ମିଳୁନି।

ଶନିବାର ପୁରୀରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ହାଜତ ମୃତ୍ୟୁ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଦଳୀୟ ନେତାଙ୍କ ଅନୁପସ୍ଥିତି, ବିଧାନସଭାରେ ପ୍ରସଙ୍ଗକୁ ଜୋରଦାର୍ ନକରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସେହିପରି ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ତାଲା ପଡିବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ ଆଖି ଦୃଶିଆ ବିରୋଧ ଦେଖାଯାଇନଥିଲା। ଯାହାକି ଦଳୀୟ ଏକତା ଓ ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି।

ଓଡିଶା ଦଖଲ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ କର୍ମୀଙ୍କୁ ସଂକେତ ଦେଇଛନ୍ତି ନଡ୍ଡା। ଏହାସହ ମହିଳା କାର୍ଡକୁ ଆଗକୁ ଆଣି ଡି ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦେଇ ରଣନୀତିର ମୂଳଦୁଆ ପକାଇଛନ୍ତି। ତେବେ ଶାହଙ୍କ ଅଧୁରା ସ୍ୱପ୍ନ ପୂରଣରେ ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ କେତେ ସଫଳ ହେଉଛି ତାଉପରେ ନଜର।

You might also like