ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଚୌଦ୍ୱାର ( ପ୍ରକାଶ) : ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି।

କଟକ ଚୌଦ୍ୱାର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ଏହି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ଆସୁଥିବା ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ ବୋଲି ସେ କହିଛନ୍ତି।

ତା ଛଡ଼ା ବିଜେପି କ୍ଷମତାକୁ ଆସିଲେ ମେଟ୍ରୋ ଟ୍ରେନ୍, ୨୪ ଘଣ୍ଟା ପାଣି ଓ ବିଜୁଳି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ବଳରେ ହିତାଧିକାରୀଙ୍କୁ ଏବେ ମୁଣ୍ଡ ପିଛା ୫ କିଲୋ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ୧ କିଲୋ ଚାଉଳ ପାଇଁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ, ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର।

 

You might also like