ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ: ବିଜେପି
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ଘଟଣା କୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା କାହିଁକି ଆନ୍ଧ୍ର ମୁହାଁ ହେଉଛନ୍ତି ପ୍ରଣିଧାନ ଯୋଗ୍ୟ। ସେମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ ହେଉଛନ୍ତି।
ବିଜେପିର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ସେଠୁ ଓଡ଼ିଶାର କାର୍ଯ୍ୟାଳୟ ଅଛି କିନ୍ତୁ ଅଧିକାରୀ ନାହାନ୍ତି। ତେବେ ଆନ୍ଧ୍ରର ଅଫିସ୍ ନଥାଇ ବି ସେଠି ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛିା ଆନ୍ଧ୍ରର ଭତ୍ତା, ପେନସନ୍ ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ପହଞ୍ଚାଯାଉଛି। ଯାହା ଫଳରେ ଲୋକେ ପଡ଼ୋଶୀ ରାଜ୍ୟ ପ୍ରତି ଆକର୍ଷିତ ହେଉଥିବା ପ୍ରଦୀପ୍ତ କହିଛନ୍ତି।
ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟତଃ ଏହି ଅଞ୍ଚଳକୁ ଗମନାଗମନ ପାଇଁ ସୀମାବର୍ତ୍ତୀ ଅଞ୍ଚଳକୁ ବସ୍ ଦେବା ଜରୁରୀ ବୋଲି ସେ କହିଛନ୍ତି।
ସୀମାନ୍ତ ଅଞ୍ଚଳବାସୀ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ବୁଝିପାରୁନାହାନ୍ତି। ସରକାର ପ୍ରୟାସ ବି କଲେ ନାହିଁ। ଯଦି ସେଠାରେ ”ବହୁ ଭାଷା” କହିପାରୁଥିବା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଆନ୍ତା, ତାହା ହେଲେ ଭଲ ହୁଅନ୍ତା। ସେଠାରେ ସ୍କୁଲ ଅଛି, ଅଫିସ୍ ବି ଅଛି କିନ୍ତୁ ଅଫିସର୍ ନାହାନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶର ଅଫିସ୍ ନାହିଁ କିନ୍ତୁ ସେଠାରେ ଅଫିସର୍ ଅଛନ୍ତି। ସେଠାକାର ଲୋକେ ଆନ୍ଧ୍ର ଠାରୁ ସୁବିଧା ସୁଯୋଗ ପାଉଥିବାରୁ ସେମାନେ ଆନ୍ଧ୍ର ମୁହା ହେଉଛନ୍ତି।
-ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା
ଓଡ଼ିଶା ଭିତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ତେଜିଛି। ଗତ ଫେବୃଆରୀ ୧୩ରେ ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ହୋଇଥିଲା। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି।
କୋଟିଆ ଯେ, ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ତାହାର ରାଜ୍ୟ ସରକାର ପ୍ରମାଣ ଦେବେ। ଏଥିପାଇଁ ରାଜସ୍ୱଠୁ ଆଇନ ବିଭାଗ, ଲିଗାଲ ଟିମ୍କୁ ଜିଲ୍ଲାପାଳଙ୍କ ଯାଏଁ ଘନଘନ ବୈଠକ ଚାଲିଛି। ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତେ ଏକାଠି ହୋଇ ରଣନୀତି ତିଆରି କରିଛନ୍ତି। ୧୯୬୮ରୁ ଯାହା କିଛି ସରକାରୀ ନଥିପତ୍ର ଅଛି, ସେସବୁକୁ କୋରାପୁଟ ଜିଲ୍ଲା ପ୍ରଶାସନ ଠୁଳ କରିଛି। କୋଟିଆ ପଞ୍ଚାୟତ ଏବଂ ଉପଜିଲ୍ଲାପାଳଙ୍କ ଅଫିସରେ ଥିବା ରେକର୍ଡ ରୁମ୍ରୁ ପୁରୁଣା ଦସ୍ତାବିଜ୍ ବାହାର କରାଯାଇଛି।
୧୯୩୬ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହେବା ପରଠୁ ଓଡ଼ିଶା ମାନଚିତ୍ରରେ କୋଟିଆ ରହିଆସିଛି। କିନ୍ତୁ ୧୯୫୩ରେ ପ୍ରତିଷ୍ଠା ହୋଇଥିବା ଆନ୍ଧ୍ର, କୋଟିଆ ଲାଳସାରେ ପଡ଼ି ଏହାକୁ ନିଜ କବ୍ଜାକୁ ନେବାକୁ ଚକ୍ରାନ୍ତ କରୁଛି। ୧୯୬୮ରେ ଏହି ବିବାଦୀୟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୦୦୬ରେ ସର୍ବୋଚ୍ଚ କୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ଏବେ ୧୫ ବର୍ଷ ପରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି ହେବ।