କୁଳମଣିଙ୍କ ହତ୍ୟାକୁ ନେଇ ଖଡ୍‌ଗହସ୍ତ ବିଜେପି, ଦୋଷୀଙ୍କୁ ଧରିବାକୁ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ସମୟ ଦେଲା ଦଳ

ଭୁବନେଶ୍ୱର: ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟାକୁ ନେଇ ଆକ୍ସନମୁଡ୍‌ରେ ବିଜେପି। ଦୋଷୀଙ୍କୁ ଧରିବାକୁ ସରକାରଙ୍କୁ ଦଳ ଦେଇଛି ୪୮ ଘଣ୍ଟାର ମହଲତ।  ନହେଲେ ରାଜ୍ୟବ୍ୟାପୀ ଜୋରଦାର୍ ପ୍ରତିବାଦ କରିବାକୁ ଧମକ ଦେଇଛି ଦଳ। ଏପରିକି କାଲିଠାରୁ ଥାନା, ଏସ୍‌ପି ଅଫିସ୍ ଓ ୮ ତାରିଖରେ ଡିଜି ଅଫିସ ଘେରାଉ କରିବ ଦଳ।

ମାହାଙ୍ଗା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ଗିରଫ ଦାବିରେ ବିଜେପି ନେତା ଓ କର୍ମୀ ଦାବି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମାହାଙ୍ଗା, ଆଳି, କେନ୍ଦ୍ରାପଡ଼ା, ଟାଙ୍ଗି, ରଘୁନାଥପୁରରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି।ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ହୋଇଛି ଏହି ହତ୍ୟାକାଣ୍ଡ ପୂର୍ବରୁ କଂଗ୍ରେସ ଯାହା କରୁଥିଲା, ଏବେ ବିଜେଡି କରୁଛି। ୪୮ ଘଣ୍ଟାରେ ଦୋଷୀ ଧରା ନ ପଡ଼ିଲେ, ରାଜ୍ୟବ୍ୟାପୀ ଦଳ ପକ୍ଷରୁ ପ୍ରତିବାଦ କରାଯିବ। ଏମିତିକିି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ବି ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଦଳ।

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତି ବିରୋଧରେ ମୁହଁ ଖୋଲିବରୁ କୁଳମଣିଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀଙ୍କ ନାଁ ଏତଲାରେ ବି ଅଛି ଓଡ଼ିଶା ବି ବଙ୍ଗଳା ରାସ୍ତାରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ୍।

ସେପଟେ ଘଟଣା ପାଇଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ଯେ ନିର୍ବାଚନ ଜିତିବା ସକାଶେ ଶାସକ ଦଳ ହତ୍ୟାକାଣ୍ଡ ଭିଆଉଛି। ଏହି ସରକାର ଅମଳରେ ରାଜ୍ୟରେ ୧୭ଟି ରାଜନୈତିକ ହତ୍ୟା ଏବଂ ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୪ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ପିଏମ୍ ଆବାସ ଯୋଜନା ଦୁର୍ନୀତିକୁ ନେଇ ମାହାଙ୍ଗାରେ ଏହି ହତ୍ୟାକାଣ୍ଡ ଘଟିଛି ଓ ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ଅପରାଜିତା କହିଛନ୍ତି।

ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏତଲାରେ ନାଁ ଆସିବା ପରେ ବିବାଦକୁ ଆସିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା।

ଏପ୍‌ଆଇଆର୍‌ରେ ନାଁ ଥିବା କିଛି ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋକୁ ନେଇ ରାଜନୀତି ସରଗରମ୍ ହୋଇଛି। ଏହି ଫଟୋରେ ମନ୍ତ୍ରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଅଛନ୍ତି ଅନ୍ୟତମ ଅଭିଯୁକ୍ତ ତଥା ନୃତାଙ୍ଗ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ। ସେହିପରି ଅନ୍ୟ ଏକ ଫଟୋରେ ଅନ୍ୟଜଣେ ଅଭିଯୁକ୍ତ ତଥା ମାହାଙ୍ଗା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ସହ ବି ମନ୍ତ୍ରୀ ଥିବା ଦେଖିବାକୁ ମିଳୁଛି।

ତେବେ କେବଳ ଆଇନ ମନ୍ତ୍ରୀ ନୁହଁନ୍ତି, ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ଚନ୍ଦ୍ରସାରଥୀ ବେହେରାଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କର ଫଟୋ ରହିଛି। ତେଣେ ପୂରା ଘଟଣାରେ ପ୍ରତାପ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ନାଁରେ ଏତଲା ହୋଇଛି। ତଦନ୍ତରୁ ସତ ଜଣାପଡ଼ିବ। ଘଟଣାକୁ ବିଜେପି ରାଜନୈତିକ ରୂପ ଦେବାକୁ ଚାହୁଁଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।

ସେପଟେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଆଜି ପୁଣି ପ୍ରତିକ୍ରିୟା ରଖି ରାଜନୈତିକ ଶତ୍ରୁତାରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି କହିବା ସହିତ ଅଭିଯୁକ୍ତଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି କଥାକୁ ପୁଣି ଦୋହରାଇଛନ୍ତି ରମାକାନ୍ତ।

ତାସହ ୨୦୧୮ ମସିହାରେ ବିଜେପି କର୍ମୀ ବିକାଶ ଜେନା ହତ୍ୟାକାଣ୍ଡରେ ବି ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ନାଁ ଆସିଥିଲା। ଦୁଇ ବର୍ଷ ପରେ ସେହି କେସ୍‌ର ଆସାମୀ ଖୁଲମଖୁଲା ବୁଲୁଥିବାରୁ ତାଙ୍କ ବାପାଙ୍କ ହତ୍ୟାକାରୀ ଧରା ହେବେ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ରମାକାନ୍ତ।

ଏହି ମର୍ଡର କେସ୍‌କୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲିଠାରୁ ସବୁ ଥାନା ଆଗରେ ବିକ୍ଷୋଭ କରାଯିବ। ୬ରେ ସବୁ ଏସ୍‌ପି ଅଫିସ୍ ଓ ୮ରେ ଡିଜି ଅଫିସ୍ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି।

You might also like