ବିଜେପି ନେତା କୁଳମଣି ଓ ସହଯୋଗୀଙ୍କୁ ହତ୍ୟା ପଛରେ କିଏ ? ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ହତ୍ୟାକାଣ୍ଡ ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି କୁଳମଣିଙ୍କ ପୁଅ।
ଏହି ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି। ଆଜି ସାମ୍ବାଦିକ ସମ୍ମଳନୀ କରି ବିଜେଡିକୁ ଟାର୍ଗେଟ କରିବା ସହିତ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି। ଏତଲାରେ କୁଳମଣିଙ୍କ ପୁଅ ବିଧାୟକଙ୍କୁ ଦୋଷାରୋପ କରୁଥିବାରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ସମୀର କହିଛନ୍ତି। ଆଉ ଯଦି ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ସମୀର କହିଛନ୍ତି।
ଅନ୍ୟପଟେ ଏହି ଘଟଣାରେ କାଲି ଠାରୁ କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ବିକ୍ଷୋଭ କରିବ। ଏନେଇ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସୂଚନା ଦେଇଛନ୍ତି।
ସେହିପରି କୁଳମଣିଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି କଡ଼ା ପ୍ରତିକ୍ରିୟା ରଖିବା ସହିତ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ସେ ଦାବି କରିବା ସହିତ ଏତଲାରେ ପ୍ରତାପ ଜେନାଙ୍କ ନାଁ ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ ବୋଲି ସେ ଟ୍ୱିଟ୍ କରିଛନ୍ତି।
ବିଜେଡିକୁ ଟାର୍ଗେଟ କରି ଏଠାରେ ପଶ୍ଚିମବଙ୍ଗ ଢାଂଚାରେ ଶାସନ ଚାଲିଥିବା ଅଭିଯୋଗ କରିଛି ଦଳ। ମନ୍ତ୍ରୀ ପ୍ରତାପ ଜେନା ବି ଘଟଣାକୁ ନିନ୍ଦା କରିବା ସହ ଦୋଷୀ କେମିତି ଦଣ୍ଡ ପାଇବ ସେ ନିଜେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଅପରପକ୍ଷରେ ପୋଲିସ୍ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଆରମ୍ଭ ହୋଇଛି।
ଗତକାଲି ସଂଧ୍ୟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଟଳି ପଡ଼ିଥିଲେ ବିଜେପି ନେତା ତଥା ମାହାଙ୍ଗା ବ୍ଳକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ। ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ, ୭୫ ବର୍ଷିୟ କୁଳମଣି ବରାଳ ଓ ୮୦ ବର୍ଷିୟ ଦିବ୍ୟସିଂହ। ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ବାଇକ୍ରେ ଫେରୁଥିବା ବେଳେ ଦୁହିଁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।
ପରେ ମାହାଙ୍ଗା ହସ୍ପିଟାଲ୍ରେ କୁଳମଣି ଓ କଟକ ବଡ଼ ମେଡିକାଲ୍ରେ ପ୍ରାଣ ହରାଇଥିଲେ ଦିବ୍ୟସିଂହ। ପୋଲିସ୍ ଆଜି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ୍ ଗଠନ କରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। କୁଳମଣିଙ୍କ ହତ୍ୟା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ଥିବା ସଂଗୀନ ଅଭିଯୋଗ ଆଣିଛନ୍ତି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।
ଏନେଇ ରମାକାନ୍ତ କହିଛନ୍ତି ” ସରକାରୀ ଦଳର ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଦ୍ୱାରା ଏମିତି ହୋଇଛି। ସମ୍ପୂର୍ଣ୍ଣ ଭାବରେ ଏଥିରେ ଆଇନ୍ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କରି ନିର୍ଦ୍ଦେଶରେ ଏସବୁ ହୋଇଛି।” ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ୧୨ ଜଣଙ୍କ ନାଁରେ ଥାନାରେ ଏତାଲା ଦିଆଯାଇଛି। ପୋଲିସ ଜଣକୁ ଅଟକ ରଖି ଜେରା ଚଳାଇଛି।
ଘଟଣାର ତଦନ୍ତ ଚାଲିଥିବା ବେଳେ କଟକ ଗ୍ରାମାଞ୍ଚଳ ଏସ୍ପି ଭି. ଯୁଗଳ କିଶୋର କହିଛନ୍ତି “ଏହି ମାମଲାରେ ୫ଟି ମଲ୍ଟିପୁଲ ଟିମ୍ ଗଠନ କରାଯାଛି। ୫ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଛି। ଆଶା ଅଛି ଯେ ସମସ୍ତ ଅଭିଯୁକ୍ତ ଧରାପଡ଼ିବେ। ତଥ୍ୟ ପ୍ରମାଣ ସହିତ ଯେଉଁମାନେ ଏହି ଘଟଣାରେ ସାମିଲ୍ ଥିବେ ସେମାନଙ୍କୁ ଗରିଫ କରାଯିବ କାହାରିଙ୍କୁ ଛଡ଼ାଯିବ ନାହିଁ।”
ଅନ୍ୟପଟେ ଏହି ବହୁଚର୍ଚ୍ଚିତ ଡବଲ୍ ମର୍ଡରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଅନ୍ୟ ନେତାମାନେ ଆଜି ଶବ ଶୋଭାଯାତ୍ରାରେ ସାମିଲ ହୋଇ ଦିଂବଗତ କୁଳମଣି ବରାଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଓ ପରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
ହତ୍ୟାକାଣ୍ଡ ପରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ବିଜେଡି ପଶ୍ଚିମବଙ୍ଗ ଢାଞ୍ଚାରେ ଓଡ଼ିଶାରେ ଶାସନ କରିବା ସହ ବିଜେପି ନେତାଙ୍କୁ ହତ୍ୟା କରାଯାଉଥିବା ଦଳ ଅଭିଯୋଗ ଆଣିଛି। ଏଥିସହିତ ଦଳ ଅଭିଯୋଗ କରିଛି ଯେ ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକ ରହିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ପ୍ରସଙ୍ଗ ସାମ୍ନାକୁ ଆଣିଥିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ରାଜ୍ୟ ବିଜେପି ସଭାପିତ ସମୀର ମହାନ୍ତି କହିଛନ୍ତି “ଯେତେବେଳେ ବ୍ଲକର୍ ବିଭିନ୍ନ ପ୍ରଧାନମନ୍ତ୍ରୀ ଆହ୍ୱାସ୍ ଯୋଜନାର ଦୁର୍ନୀତିର ପର୍ଦାଫାସ୍ କଲେ ଏମାନେ ରକ୍ତମୁଖା ସାଜି ମଣିଷକୁ ମାରିଦେଉଛନ୍ତି। ଯାହାର ପରିଣତି ସ୍ୱରୂପ ଏପରି ହୋଇଛି।” ଏହାର ପ୍ରତିବାଦ କରାଯିବ ବୋଲି ସମୀର ମହାନ୍ତି କହିଛନ୍ତି।
ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ପ୍ରଦୀପ୍ତ ନାଏକ କହିଛନ୍ତି “ଶାସକ ଦଳର ଲୋକ ହିଁ ମାରିଛନ୍ତି, ଦୁଇ ବର୍ଷ ତଳେ ବିକାଶ ରଞ୍ଜନ ଜେନାଙ୍କୁ ଯେଉଁମାନେ ମାରିଥିଲେ ସେହି ଗ୍ରୁପ୍ର ଲୋକମାନେ ହିଁ ମାରିଛନ୍ତି। ବିଧାନସଭାରେ ବାରମ୍ବାର କହିଲା ପରେ ବି ପ୍ରଶାସନ ତାକୁ ଗିରଫ କଲାନି।”
ଅନ୍ୟପଟେ କଂଗ୍ରେସ ବି ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ ବୋଲି କହିଛି। ଏନେଇ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟ କହିଛନ୍ତି ” ଯେପରି ନାରୀ ନିର୍ଯାତନା ବଢି ଚାଲିଛି, ରାଜନୈତିକ ହତ୍ୟା ବି ଠିକ୍ ସେମିତି ଆରମ୍ଭ ହୋଇଗଲାଣି। ଏହା ଦୁର୍ଭାଗ୍ୟଜନକ। ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଁ ସରକାରଙ୍କୁ ଅନୁରୋଧ କରୁଛି।”
ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଦୋଷୀ କିପରି ଗିରଫ ହେବେ, ସେ ନିଜେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି “ବିଜେପି ଆମ ବିରୋଧୀ ଦଳ ଭାବରେ କ’ଣ କହିବେ ସେଇଟା ବଡ଼ କଥା ନୁହେଁ, ଯେଉଁମାନେ ହତ୍ୟାକାରୀ, ଦୋଷୀ ସେମାନେ କେମିତି ଆରେଷ୍ଟ ହେବେ, ତାଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ହେବ ସେଥିପ୍ରତି ମୁଁ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବି।”
ଏହି ହତ୍ୟାକାଣ୍ଡ ପରେ ମାହାଙ୍ଗା ଅଞ୍ଚଳରେ ଚାପା ଉତ୍ତେଜନା ଥିବାରୁ ବିଭିନ୍ନ ସ୍ଥାନରେ ମୋଟ୍ ୪ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି। କଟକ ବଡ଼ ମେଡିକାଲ୍ରେ ଶବ ବ୍ୟବଚ୍ଛେଦ ପରେ ଏକ ଶୋଭାଯାତ୍ରାରେ ମୃତଦେହ ଗାଁକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି।
ଏହାପୂର୍ବରୁ ୨୦୧୮ ଡିସମ୍ବରରେ ନୃତ୍ତାଙ୍ଗ ପଞ୍ଚାୟତର ବିଜେପି ସହପ୍ରମୁଖ ଥିବା ଜଁକୋଟି ଗାଁର ବିକାଶ ଜେନାଙ୍କୁ ବି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଦୁଇ ବର୍ଷ ମଧ୍ୟରେ ତିନି ତିନିଟି ମୁଣ୍ଡ ଗଡ଼ିବା, ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।