ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିରୋଧ କଲେ ବସନ୍ତ ପଣ୍ଡା

ଭୁବନେଶ୍ୱର : ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧ। ଏହାକୁ ନିନ୍ଦା  କରି ବସନ୍ତ ପଣ୍ଡା କହିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଏହା ଉଚିତ ନୁହେଁ। ଗଣମାଧ୍ୟମ ଯାହା ଦେଖୁଛି ତାହା ଦେଖାଉଛି।

ବସନ୍ତ ଅଭିଯୋଗ କରିଛନ୍ତି, ସରକାରୀ ଦଳ ଓ କଂଗ୍ରେସ ମଧ୍ୟରେ ସଲାସୁତୁରା ଚାଲିଛି। ଗତକାଲି ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଅାଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ଏହି ନୋଟିସ୍ ଅାଣିଥିଲେ।

ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି ସେ କହିଥିଲେ। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମାକୁ କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍‌କୁ ଗ୍ରହଣ କରିବା ସହ ରୁଲିଂ ଦେଇଛନ୍ତି। ଓଟିଭିରେ କାହିଁକି ବିଧାନସଭାର ସିଧାପ୍ରସାରଣ ବାତିଲ ନହେବ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ରୁଲିଂ ଦେଇଥିଲେ।

ବାଚସ୍ପତି ଶାସକ ଦଳ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଓଟିଭିରେ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ଅାଲୋଚନା ପରେ ବିଧାନସଭା ସଚିବ ବାଚସ୍ପତିଙ୍କୁ ଗୃହ ୩ଟା ଯାଏଁ ମୁଲତବୀ ରଖିବାକୁ ପରାମର୍ଶ ଦେଉଥିବାର ଭିଡିଓ ଦେଖିବାକୁ ମିଳିଥିଲା।

You might also like