ବନ୍ଦେ ଉତ୍କଳ ଜନନୀ ଗାନକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଖାରବେଳ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ। କେବଳ ରାଜନୈତିକ ମତଲବ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ତେଣୁ ଏଭଳି ନିଷ୍ପତ୍ତି ନିଆଗଲା ବୋଲି ଖାରବେଳ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆଙ୍କ ଭାବାବେଗ ବୁଝୁ ନଥିବା ଅଣଓଡ଼ିଆ ପରାମର୍ଶଦାତା ଏହାର ନିଷ୍ପତ୍ତି ନେଲେ। ୨୦ ବର୍ଷ ଧରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇ ପାରିଲେନି ନବୀନ। ପଶ୍ଚିମ ଓଡ଼ିଶାର ମୁଷ୍ଟିମେୟ ଲୋକଙ୍କ ବିରୋଧ ଯୋଗୁଁ ମାନ୍ୟତା ଦେଉନାହାନ୍ତି। ବିଜେପିରେ ଥାଇ ବି ମୁଁ ସମର୍ଥନ କରୁନି, ତେଣୁ ବନ୍ଦେ ଉତ୍କଳ ଜନନୀ ଗାଇନି ବୋଲି ଖାରବେଳ କହିଛନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନ ପାଇଁ ଅନ୍ୟ କିଛି କରାଯାଇ ପାରିଥାନ୍ତା ବୋଲି କହିଛନ୍ତି ଖାରବେଳ ସ୍ୱାଇଁ।

ସେପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡିକୁ କଟାକ୍ଷ କରିଛନ୍ତି। ଘଣ୍ଟ ଓ ଘଣ୍ଟି ବାଡ଼େଇବା ଉଦ୍ଦେଶ୍ୟ ଯାହା ଥିଲା ଏ ମଧ୍ୟ ଠିକ୍ ସେହିପରି କରିଛନ୍ତି। ନିଜର ଅସଫଳତାରକୁ ଘୋଡ଼େଇବାକୁ ପାଇଁ ଅନେକ ପ୍ରକାର ଏ ନାଟକବାଜୀ ହେଉଛି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

ଅନ୍ୟପଟେ ବିରାଧୀଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ରାଜନୈତିକ ଲୋକ ରାଜନୈତିକ ବିବାଦ କରିବେ ଏଥିରେ ରାଜନୀତି ପୂରାଇବା ଉଚିତ ନୁହେଁ। ପଶ୍ଚିମ ଓଡ଼ିଶାର କିଛି ବନ୍ଧୁ ମଧ୍ୟ ଏହାକୁ ଗ୍ରହଣ କରୁନାହାନ୍ତି। ବିଳମ୍ବରେ ହେଲେବି କାର୍ଯ୍ୟ ସିଦ୍ଧି ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏଥିଲାଗି ଧନ୍ୟବାଦ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

You might also like