ବିଜୁ ଯୁବ ବାହିନୀ ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ

ଭୁବନେଶ୍ୱର: ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ଏହି ଅଭିଯୋଗ କରିଛି। ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି।

ସେହିଭଳି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମ୍ପର୍କରେ ମଧ୍ୟ ବ୍ରହ୍ମଗିରି ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପ୍ରକୃତରେ ବିଜୁ ଯୁବ ବାହିନୀର ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରିବା ପାଇଁ କୌଣସି ଯୋଜନା ନାହିଁ। ତେଣୁ କିଭଳି ଭାବେ ଲୋକଙ୍କ ଅର୍ଥକୁ ବିଜୁ ଜନତା ଦଳର ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଗଲା, ସେଥିନେଇ ବିଜେପି ପ୍ରଶ୍ନ ଉଠାଇଛି।

କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ଯଦି ସରକାର ଏହାର ଉପଯୁକ୍ତ ସ୍ପଷ୍ଟୀକରଣ ନ ଦିଅନ୍ତି, ତା ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏଥିନେଇ ଆନ୍ଦୋଳନ କରାଯିବ ବୋଲି ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେପିର ଏହି ଅଭିଯୋଗ ସଂକ୍ରାନ୍ତରେ ବିଜେଡି କିମ୍ବା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like