ଫଳାଫଳର ୧୫ ଦିନ ପରେ ପରାଜୟର ସମୀକ୍ଷା କଲା ବିଜେପି

୬ ଘଣ୍ଟା ଧରି ମାନସମନ୍ଥନ, ଚାଲୁ ରହିବ ମିଶନ୍ ୧୨୦ ଲଢ଼େଇ...

ଭୁବନେଶ୍ୱର :  ୧୯ ଫଳାଫଳର ୧୫ ଦିନ ପରେ ପରାଜୟର ସମୀକ୍ଷା କରିଛି ବିଜେପି। ତିନିଟି ପର୍ଯ୍ୟାୟରେ  ଆଜି ୬ ଘଣ୍ଟା ଧରି ତୁଙ୍ଗ ନେତା ଜିଲ୍ଲା ସ୍ତରର ନେତାଙ୍କୁ ଡାକି କାରଣ ଖୋଜିଥିଲେ। ପରାଜୟ ଅନେକ କାରଣ ଭିତରୁ କିଛି ଦଳ ଭିତରର ଅନ୍ତର୍ଘାତୀ କାମ ସଂପର୍କରେ ଖୁଲାସା କରି କମ୍ପନ ସୃଷ୍ଟି କରିଥିଲେ।

ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପରାଜୟ ପାଇଁ ନିଜ ଦଳର ଅନ୍ତର୍ଘାତୀ କାମକୁ ଦାୟୀ କରୁଛନ୍ତି। ରାଧାରାଣୀ ଏଥର ପାଇଛନ୍ତି ୬୮ ହଜାର ଭୋଟ୍‌। ୯ ହଜାର ଭୋଟ୍‌ରେ ବିଜେଡିର କିଶୋର ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି। ତେବେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବିଜେପିର ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ପାଇଛନ୍ତି ତାଙ୍କ ଠାରୁ ୨୨ ହଜାର ଅଧିକ ଭୋଟ୍‌। ନେତାଙ୍କ ଭିତରେ ଅଘୋଷିତ ମେଣ୍ଟ ଯୋଗୁ ବିଧାନସଭାରେ ଶଙ୍ଖ ଓ ଲୋକସଭାରେ ପଦ୍ମର ସ୍ଲୋଗାନ ତାଙ୍କ ପାଇଁ କାଳ ହେଲା ବୋଲି କହିଛନ୍ତି ରାଧାରାଣୀ। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିଜ ହାରିବା ପଛରେ କଂଗ୍ରେସର ଭୋଟ୍ ବିଜେଡି ଖାତାକୁ ଯିବାକୁ ଦାୟୀ କରିଛନ୍ତି ରାଧାରାଣୀ। ପ୍ରଦୀପଙ୍କ ସମେତ ଏଥର ମଇଦାନକୁ ଓହ୍ଲାଇଥିବା ବିଜେପିର ୫ ବିଧାୟକ ପରାଜୟର ମୁହଁ ଦେଖିଛନ୍ତି। ଆଜି ସମୀକ୍ଷା ବୈଠକରେ ଏସବୁ କାରଣର ଅବତାରଣ କରିଛନ୍ତି ହାରିଥିବା ନେତା।

ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକ ପୂର୍ବରୁ ବସିଥିଲା ଦଳର କୋର୍ କମିଟିର ରୁଦ୍ଧ ଦ୍ୱାର ବୈଠକ। ଏଥିରେ ଉଭୟ ଲୋକସଭା ଓ ବିଧାନସଭାରେ ଜିତିବା ସ୍ଥିତିରେ ଥିବା ପ୍ରାର୍ଥୀ କାହିଁକି ହାରିଲେ ତାର ସମୀକ୍ଷା ହୋଇଥିଲା। ୮୧ଟି ବିଧାନସଭା ଆସନରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କଣ୍ଟାବାଞ୍ଜି, ପରଜଙ୍ଗ, ବଡଚଣା,  ଗୋପାଳପୁର, କୁଚିଣ୍ଡା, କଣ୍ଟାମାଳ,ବରୀ, ରେମୁଣା, ରଣପୁର, ରଘୁନାଥପାଲ୍ଲୀ, ସୋର ପରି ୧୧ଟି ଆସନରେ ୫ ହଜାରରୁ କମ୍‌ ଭୋଟ୍‌ ବ୍ୟବଧାନରୁ ହାରିଥିବା ଆସନରେ ସଂଗଠନ କାହିକିଁ ଫେଲ୍‌ ମାରିଲା ସେ ନେଇ ବି ତର୍ଜମା ହୋଇଥିଲା।

୫ରୁ ୧୦ ହଜାର ଭୋଟ୍‌ରେ ହାରିଥିବା ୧୩ଟି ଆସନରେ ବି ବିଜୟ ସମ୍ଭାବନା ଥିଲେ ବି ଦଳର ନିର୍ବାଚନ ପରିଚାଳନାରେ ତ୍ରୁଟିକୁ ଦାୟୀ କରାଯାଇଥିଲା। କିଛି ସ୍ଥାନରେ ଘରଢିଙ୍କି କୁମ୍ବୀର ହୋଇଥିବାର ନଜିର ବି ସାମନାକୁ ଆସିଛି।  ପ୍ରଶାସନିକ କଳର ଦୁରୁପଯୋଗକୁ କିଛି ସ୍ଥାନରେ ଦାୟୀ କରିଛନ୍ତି ନେତା।  ତେବେ ଯେଉଁଠି ଯେଉଁଠି ସଂଗଠନରେ ତ୍ରୁଟି ଠାବ କରାଯାଇଛି। ତାକୁ ସୁଧାରି ଆଗକୁ ବଢିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୨୦ର ମିଶନରେ  ନ ପହଁଞ୍ଚିବା ଯାଏ ସଂଘର୍ଷ କରିବାକୁ ଗତକାଲି ସମ୍ବର୍ଦ୍ଧନା ସଭାର ମଂଚରୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୯ ନିର୍ବାଚନ ପରେ ଏବେ ଦଳର ୧୨୦ ମିଶନ୍ ୨୪ ନିର୍ବାଚନ ପାଇଁ କି ବୋଲି ପ୍ରଶ୍ନ ଉଠିଛି। ୧୯ ନିର୍ବାଚନର ଢେର ପୂର୍ବରୁ ବୁଥ୍ ମଜବୁତ କରି ୧୨୦ ଲକ୍ଷ୍ୟରେ ପହଁଞ୍ଚିବାକୁ କହିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

ତେବେ ବିଧାନସଭାରେ ଦଳ ଖାଇଥିବା ଝଟ୍‌କାକୁ ଲୋକସଭାର ଭୋଟ୍‌ ମଲମ କିଛିଟା ଭରିଥିବାରୁ ଏବେ ବଢିଥିବା ଭୋଟ୍‌ହାରକୁ ନେଇ ନେତା ନିଜ ପାଇଁ ପ୍ରଂଶସା ସାଉଁଟିବାରେ ବ୍ୟସ୍ତ।

You might also like