”ସୁବାସ ବାବୁ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ’ : ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ ଟୋକନ ଆଉ ଥରେ ରିଜେନେରେଟ୍ ହୋଇପାରିଲା ନାହିଁ କି ଧାନ ଉଠିଲା ନାହିଁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆଉ ଏଥିପାଇଁ ନବୀନ ବାବୁ କ୍ଷମା ମାଗିବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ କହୁଛନ୍ତି, କିନ୍ତୁ ବିଧାନସଭା ଆସୁନାହାନ୍ତି । ନୂଆପଡ଼ା ଗଲାବେଳେ ମନ୍ତ୍ରୀ ବାଟରେ ବରା ଖାଉଛନ୍ତି ,ସେଥିରେ କରୋନା ହେଲାନି । ଲୋକସେବା ଭବନରେ ବସି ରହୁଛନ୍ତି କିନ୍ତୁ ବିଧାନସଭା ଆସିଲେ ବାବୁଙ୍କୁ କରୋନା ହୋଇଯିବ । ଘରେ ବସିଲେ ବିଧାନସଭା ଚାଲେନି ।  ବିଜେପି ବିଧାୟକ ଆତ୍ମହତ୍ୟା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଶାସକଦଳର ବିଧାୟକ ମାନେ ଜାଣିଶୁଣି ଗୃହକୁ ଚଳାଇ ଦେଉନାହାନ୍ତି । ମନ୍ତ୍ରୀମାନେ ୱେଲ ପରିସରକୁ ଚାଲି ଆସୁଛନ୍ତି । ବିରୋଧୀ ଦଳ ନୁହେଁ, ଶାସକ ଦଳର ନେତାମାନେ ହୋହାଲ୍ଲା କରୁଛନ୍ତି । ଗୃହ ସ୍ୱାଭାବିକ ଚାଲିପାରୁନି। କଣ୍ଟିଜେନ୍ସ ଫଣ୍ଡରୁ କାଳିଆ ଟଙ୍କା ବାଣ୍ଟିଛନ୍ତି, କିନ୍ତୁ ଚାଷୀଙ୍କ ଠାରୁ ଧାନ କିଣି ପାରୁ ନାହାନ୍ତି ସରକାର। ରାଜ୍ୟ ସରକାର କେବଳ ବାହାନା କରୁଛନ୍ତି । ନବୀନ ବାବୁ ଗୃହକୁ ଯେପରି ନଆସିପାରିବେ ସେ ଉଦ୍ଦେଶ୍ୟ ଦେଇ ଶାସକ ଦଳ ଏପରି କରୁଥିବା ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି  ।

ଅନ୍ୟପଟେ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ବିରୋଧୀ ଦଳା ନେତା । କେଉଁ ପ୍ରସଙ୍ଗରେ କ୍ଷମା ମାଗିବା କଥା, ବାଚସ୍ପତି ଆଜି ଯାଏଁ ଜାଣିପାରିଲେ ନାହିଁ। ଗୃହ ବାହାରେ ଏହାକୁ ମୁଦ୍ଦା କରି କୌଣସି ଟୀକାଟିପ୍ପଣୀ ଦେବାର ତାଙ୍କର କୌଣସି ଅଧିକାର ନାହିଁ। ଚେୟାରରେ ବସି ଯାହା କହିଥାଆନ୍ତେ ତାହା ଗ୍ରହଣୀୟ । କିନ୍ତୁ ବାହାରେ ଯାଇ ବାଚସ୍ପତି ଯେପରି କହିଛନ୍ତି, ତାପାଇଁ ସେ ନିଜେ କ୍ଷମା ମାଗିବା ଉଚିତ।

ସୂଚନାଯୋଗ୍ୟ ଗତକାଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି  ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ।

ସେପଟେ ବିଧାନସଭାରେ ଆଜି  ଶାସକ-ବିରୋଧୀ ମୁହାଁଁମୁହିଁ ହୋଇଛନ୍ତି।  ଗୃହ ବାରମ୍ବାର ମୁଲତବି ହୋଇ ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ ।

ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠିନି, ସେପର୍ଯ୍ୟନ୍ତ କଂଗ୍ରେସ ଏଭଳି ରଣନୀତି ଜାରି ରଖିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ଏଥିସହ ଉଭୟ ବିଜେଡି, ବିଜେପି ବିଧାନସଭା ନଚାଲୁ ବୋଲି ମିଳିତ ପ୍ରୟାସ କରୁଛନ୍ତି, ଚାଷୀଙ୍କ ଧାନ ନଉଠୁ ଉଭୟେ ଚାହୁଁଛନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।ତେଣୁ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ।

ସେପଟେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଡ଼ି ବସିଛନ୍ତି ବିଜେଡି ସଦସ୍ୟ । କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭା ଚଳାଇ ଦିଆଯିବ ନାହିଁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

You might also like