ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରିବା ଘଟଣା: ସୁଧ ହାରକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ପୁରୀ: ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ଟଙ୍କା ଫେରିବା ଘଟଣାରେ, ସୁଧହାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।

ୟେସ୍ ବ୍ୟାଙ୍କ ପକ୍ଷରୁ ୮ ଦଶମିକ ୬୧ ପ୍ରତିଶତ ହାରରେ ସୁଧ ଦିଆଯିବ ବୋଲି ଆକଳନ ଥିଲା। ତେବେ ୨ ଦଶମିକ ୧୧ ପ୍ରତିଶତ ହାରରେ ସୁଧ ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି। ଫଳରେ ରାଜ୍ୟ କ୍ଷତି ସହିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ର ନାଏକ।

କ୍ଷତି ଟଙ୍କା ସରକାର ବହନ କରନ୍ତୁ ଏବଂ ଯେଉଁମାନେ ୟେସ ବ୍ୟାଙ୍କରେ ଟଙ୍କା ରଖିବାକୁ ନିଷ୍ପତ୍ତି କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ଗତକାଲି ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ୟେସ୍ ବ୍ୟାଙ୍କରୁ ଷ୍ଟେଟ୍ ବ୍ୟାଙ୍କକୁ ଇ-ଟ୍ରାନ୍ସଫର କରାଯାଇଥିଲା।

ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ କହିଛି। ତେବେ ବିଜେପିର ଅଭିଯୋଗ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like