ହକି ବିଶ୍ୱକପ୍ ଉଦ୍‌ଘାଟନୀରେ କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର : ହକି ବିଶ୍ୱକପ୍ ଅାୟୋଜନକୁ ନେଇ ତେଜୁଛି ବିବାଦ। ଖେଳର ବିକାଶ ନୁହେଁ ନବୀନ ନିଜର ପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିଥିବା ସଂଗୀନ ଅଭିଯୋଗ ଅାଣିଛି ବିଜେପି।

ବିଶ୍ୱକପ୍ ହକି ବ୍ୟୟବହୁଳ ଉଦ୍‌ଘାଟନୀ ଉତ୍ସବକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କରିଛି ଟାର୍ଗେଟ୍। ନବୀନ ଅାତ୍ମପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି।

କଟକ ଉତ୍ସବରେ ଅତିଥି ହେବା ଲାଗି ସଲମାନ ଖାନ୍‌ଙ୍କୁ ଏକ କୋଟି ୮୯ ଲକ୍ଷ ଟଙ୍କା ଦିଅାଯାଇଥିବା ବିଜେପି ତଥ୍ୟ ପ୍ରମାଣ ଦେବା ସହ ଶାହରୁଖ୍ ଖାନ୍ ଓ ଏ.ଅାର ରେହମାନ ଏବଂ ଅନ୍ୟ କଳାକାରମାନଙ୍କୁ କେତେ ଟଙ୍କା ଦିଅାଯାଇଛି ସ୍ପଷ୍ଟ କରିବା ଲାଗି ଦାବି କରିଛି।

ସେପଟେ ନିଜ ସ୍ପନସରରୁ ବିଶ୍ୱକପ୍ ଅାୟୋଜନ ଖର୍ଚ୍ଚ ଉଠାଇଥିବା ନେଇ ହକି ଇଣ୍ଡିଅା ଟୁଇଟ୍ କରିବାକୁ ନେଇ ବି ବର୍ଷିଛି ବିଜେପି। ରାଜ୍ୟ ସରକାର ଓ ହକି ଇଣ୍ଡିଅା ମଧ୍ୟରେ ସଲାସୁତରା ଚାଲିଥିବା ଦଳ କହିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପିକୁ ଅଭ୍ୟାସଗତ ମିଛୁଅା ବୋଲି କହିଛି।

ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ଅାୟୋଜନ ଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ପୂର୍ବରୁ ଦାବି କରୁଥିଲେ। ଏଥି ପାଇଁ ରାଜ୍ୟ ସରକାର ଇଭେଣ୍ଟ ଅର୍ଗାନାଇଜର ନୁପୁର ମହାଜନ ନାମକଙ୍କୁ ଦାୟିତ୍ୱ ମଧ୍ୟ ଦେଇଥିଲେ। ଉତ୍ସବ ଲାଗି କେଉଁ କଳାକାର ଓଡିଶା ଅାସିବେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ଜଣାଇଥିଲେ। ତେବେ ସଲମାନ୍‌ଙ୍କୁ ଏତେ ଟଙ୍କା ଦିଅାଯାଇଥିବା ପ୍ରଘଟ ହେବା ପରେ ସରକାର ହକି ଇଣ୍ଡିଅାକୁ ମୋହରା କରିନାହାନ୍ତି ତ ?

କାରଣ ହକି ଇଣ୍ଡିଅାର ଅାର୍ଥିକ ସ୍ଥିତି କାହାକୁ ଅଛପା ନାହିଁ। ଖେଳାଳିଙ୍କୁ ମ୍ୟାଚ୍ ଫି’ ଦେଇପାରୁନଥିବା ହକି ଇଣ୍ଡିଅା, 2016 ଜୁନିୟର ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟକୁ ଅାଜିଯାଏ ଟଙ୍କା ଦେଇପାରିନାହିଁ। ଏପରି ସ୍ଥଳେ ସଲମନ, ଶାହରୁଖ୍ ଖାନ୍ ଓ ଏ.ଅାର. ରେହମାନଙ୍କୁ ଡାକି ହକି ଇଣ୍ଡିଅା କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ସେ ନେଇ ପ୍ରଶ୍ନ ଉଠିଛି।

ସେପଟେ ଏଥରକୁ ମିଶାଇ ତୃତୀୟ ଥର ଲାଗି ଭାରତରେ ବିଶ୍ୱକପ୍ ହେଉଛି। ତେବେ ଏହା ପୂର୍ବରୁ କୌଣସି ବିଶ୍ୱକପରେ ଏଭଳି ଉଦଘାଟନୀ ଉତ୍ସବର ଅାୟୋଜନ କରାଯାଇନଥିଲା। ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ରାଜ୍ୟର କୌଣସି ଅନ୍ତର୍ଜାତିକ ଖେଳାଳୀଙ୍କୁ ମଂଚ ଉପରେ କାହିଁକି ଦେଖିବାକୁ ମିଳିଲାନି, ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏନେଇ ହକି ଇଣ୍ଡିଅାର ପ୍ରତିକ୍ରିୟା ମିଳିପାରିନାହିଁ।

You might also like