ଯଦି ବୁଦା ମୂଳେ ଶବ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି ?

ଭୁବନେଶ୍ୱର: ନାବାଳିକା ହତ୍ୟା ମାମଲାରେ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଅରୁଣ ବୋଥ୍ରାଙ୍କ ପ୍ରେସମିଟ ପରେ ଗୋଲକ କହିଛନ୍ତି ଯେ ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ସୁରକ୍ଷା ଦେଉଛନ୍ତି। ଶବ ଯଦି ବୁଦା ମୂଳେ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି ? ନାବାଳିକାର ବାପା ମାଆ ଅରୁଣ ସାହୁଙ୍କ ନାଁ ନେଉଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହାସହ CBI ତଦନ୍ତ ହେଉ। ଅଙ୍ଗତସ୍କରୀ ଘଟଣା ଲୁଚାଇବାକୁ ଏହା ଏକ ନୂଆ ନାଟକ। ଏହା ଏକ ମନଗଢ଼ା କାହାଣୀ, ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଗୋଲକ କହିଛନ୍ତି।

ତେବେ ସମାନ କଥାକୁ ଦୋହରାଇଛନ୍ତି ମୃତ ନାବାଳିକାଙ୍କ ପରିବାର। ନାବାଳିକା ଝିଅର ବାପା ଅଶୋକ ସାହୁ କହିଛନ୍ତି ଯେ, ସେ ପିଲା ଏପରି ନୁହେଁ , ତାଙ୍କୁ ମୋହରା କରାଯାଉଛି। ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାରୁ ସେମାନେ ଏଭଳି ନାଟକ କରୁଛନ୍ତି। ଘଟଣା ଘଟିବା ଦିନ ଆମ ଝିଅ ଅନ୍ୟ ୨ ପିଲାଙ୍କ ସହ ଖେଳୁଥିଲା। ତେବେ ସାଙ୍ଗରେ ଖେଳୁଥିବା ୨ ଜଣ ପିଲା କହୁଛନ୍ତି ଯେ, ଝିଅକୁ କାହ୍ନୁ ନାୟକ ନେଇଗଲା। କାହ୍ନୁ ନେଇକି ବାବୁଲିକୁ ଦେଇଛି ଆଉ ପରେ ତାହାର ଅଙ୍ଗତସ୍କରୀ ହିଁ କରାଯାଇଥିବା ଅଶୋକ କହିଛନ୍ତି। ଏହାସହ ଏସଆଇଟି ତଦନ୍ତରେ କୌଣସି ସତ୍ୟତା ନାହିଁ, କେବଳ ମନଗଢା କାହାଣୀ ଏସଆଇଟି କହୁଥିବା ଅଶୋକ କହିଛନ୍ତି।

ବୋଥ୍ରାଙ୍କ କହିବା ଅନୁସାରେ, ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ବେଳେ ଗାଁ ର ସମସ୍ତ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ। ଘଟଣା ଦିନ ଗାଁରେ କିଏ କିଏ ଥିଲେ ସେନେଇ ପୂରାପୂରି ତଦନ୍ତ କରିଥିଲୁ। ୧୪ ତାରିଖ ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ। କିନ୍ତୁ ସରୋଜ ଘରେ କେହି ନଥିଲେ ଅର୍ଥାତ୍ ସେ ଏକା ହିଁ ଘରେ ରହିଥିଲା।

ଏହାସହ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ ବୋଲି କହିଛନ୍ତି ଅରୁଣ ବୋଥ୍ରା। ତେବେ ମୋବାଇଲ ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା। ପରେ ପପଅପରେ ଆମେ ଦେଖିବାକୁ ପାଇଥିଲୁ କି ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କୀତ ନ୍ୟୁଜ୍ ଥିଲା। କୌଣସି ସ୍ଥାନରେ ଘଟିଥିବା ଏକ ନ୍ୟୁଜ ସରୋଜ ଦେଖିଥିଲା।

ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ କରୁ କରୁ ହିଁ ପପଅପ ଆସିଥିଲା। ସରୋଜକୁ ନାବାଳିକା କଥା କହୁ କହୁ ହିଁ ସେ ଆମକୁ ପ୍ରମାଣ ମାଗିଥିଲା ବୋଲି ବୋଥ୍ରା କହିଛନ୍ତି। ଏହାସହ ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିଲେ। କିନ୍ତୁ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ହିଁ ରାଜି ହେଉନଥିଲା ବୋଲି ପ୍ରେସମିଟ୍ କରି ବୋଥ୍ରା ସ୍ପଷ୍ଟ କରିଛନ୍ତି।

ଏହାସହ କେମିତି ଘଟଣା ଘଟିଥିଲା ସେନେଇ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।  ‘ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା ସରୋଜ। ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା।’ ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଏମିତି ବିସ୍ତୃତ ବିବରଣୀ ଆଜି ପ୍ରେସ ମିଟ୍‌ରେ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା।

You might also like