ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, କାଲି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାରେ ସମସ୍ୟାକୁ ନେଇ ବିଜେପି କରିବ ଆନ୍ଦୋଳନ । ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ରାସ୍ତା ଅବରୋଧ ଓ ଦାବି ସତ୍ତ୍ୱେ ମଣ୍ଡିଗୁଡ଼ିକରେ ଧାନ କିଣା ଯାଉନଥିବାରୁ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି  । ଆସନ୍ତାକାଲି ସମ୍ବଲପୁରରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବେ ବିଜେପି ନେତା ଓ କର୍ମୀ । ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସାଂସଦ, ୩୫ଟି ବିଧାନସଭା ଓ ବୌଦ୍ଧ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରୁ ବିଜେପି କର୍ମୀ ଓ ଚାଷୀମାନେ ସାମିଲ ହେବେ । ଏହାସହ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ନେତା ବିଜୟ ପାଲ ସିଂ ତୋମାର ଏହି ଆନ୍ଦୋଳନରେ ଯୋଗଦେବେ । କେବଳ ଏତିକି ନୁହେଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଆନ୍ଦୋଳନରେ ସାମିଲ ହେବେ ବୋଲି ବିଜେପି ସାଧାରଣ ସାମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଧାନ କିଣା ସମସ୍ୟା ନେଇ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଦୀର୍ଘ ଦିନ ଧରି ମଣ୍ଡିରେ ବସ୍ତା ବସ୍ତା ଧାନ ପଡ଼ିରହୁଛି । ଅବ୍ୟବସ୍ଥା ହେତୁ ଅସଲ ଚାଷୀ ଟୋକନ୍ ପାଇ ପାରୁନାହାନ୍ତି । ଆଉ ଯେଉଁମାନଙ୍କୁ ଟୋକନ ମିଳୁଛି,  ମଣ୍ଡିରେ ଜଗି ଜଗି ତାଙ୍କର ଟୋକନର ବୈଧତା ଶେଷ ହୋଇଯାଉଛି । ତାଙ୍କର ଧାନ ବିକ୍ରି ହୋଇପାରୁନାହିଁ । ମୋଦି ସକରାର ଚାଷୀଙ୍କ ନିମନ୍ତେ ଦେଉଥିବା ପାଣି, ବିଜୁଳି, ଅଖା, ସୁତୁଲି ଓ ପରିବହନ ଶୁଳ୍କ ଅସଲ ଚାଷୀ ପାଖରେ ପହଞ୍ଚି ପାରୁ ନାହିଁ । ମଣ୍ଡିର ସୁବ୍ୟବସ୍ଥା ହୋଇପାରୁ ନାହିଁ । ରାଜ୍ୟ ସରକାର ତାଙ୍କର ବିଭିନ୍ନ ଆରଏ‍, ଲ୍ୟାପ୍ସ ମାଧ୍ୟମରେ  ଏହି ଟଙ୍କା ଖର୍ଚ୍ଚ କରିବା କଥା । କିନ୍ତୁ ଟଙ୍କା ଖର୍ଚ୍ଚ ହେଉନି କି, ମଣ୍ଡି ଭିତ୍ତିଭୂତିର ବିକାଶ ହୋଇ ପାରୁନାହିଁ । ଅନ୍ୟପଟେ କଟନି ଛଟନି ପାଇଁ ଚାଷୀକୂଳ ସବୁବେଳେ ହଇରାଣ ହେଉଛନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ଚାଷୀ ଓ ତାଙ୍କ ପରିବାର ଉପରେ ପଡ଼ୁଛି ବୋଲି କହିଛନ୍ତି । ଆଉ ଏହି ସବୁ ଅସୁବିଧା ପାଇଁ ରାଜ୍ୟ ସରକାରଙ୍କୁ ଚେତାଇ ଦେବାକୁ ଆସନ୍ତାକାଲି ଧାରଣାରେ ପ୍ରାୟ ୪୦ ହଜାର ବିଜେପି କର୍ମୀ ଓ ଚାଷୀ ଅଂଶଗ୍ରହଣ କରିବେ ।

ସେପଟେ ଧାନ କିଣା ନେଇ ବିଜେପି ଅଯଥା ରାଜନୀତି କରୁଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ମିଲର୍ସମାନେ ରାଜ୍ୟ ସରକାରଙ୍କର ନୁହଁନ୍ତି ବରଂ ଏଫସିଆଇ ଏଜେଣ୍ଟ ବୋଲି ସେ କହିଛନ୍ତି ।

You might also like