ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ବିଜେପିର ହଲ୍ଲାବୋଲ୍

ସମ୍ବଲପୁର: ଆଜି ସମ୍ବଲପୁର ଅର୍‌ଡିସି ଅଫିସ୍‌ ସମ୍ମୁଖରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି ମୁହାଁମୁହିଁ ଦୃଶ୍ୟ ବେଶ୍ କିଛି ସମୟ ଧରି  ଦେଖିବାକୁ ମିଳିଥିଲା। ଆର୍‌ଡିସି ଅଫିସ୍‌କୁ ଛଡ଼ା ନଯିବାରୁ ଦଳର ତୁଙ୍ଗ ନେତାମାନେ ଟାଉନ୍ ଥାନା ଆଗରେ ଧାରଣା ଦେଇଥିଲେ। ଧାନ ସଂଗ୍ରହରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଏଭଳି ଢଙ୍ଗରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି।

ପଶ୍ଚିମ ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଓ ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଏକାଠି କରି ଆୟୋଜନ କରିଥିଲା ବିଶାଳ ସାମବେଶ। ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଆୟୋଜିତ ସଭାରେ ପଶ୍ଚିମ ଓଡ଼ିଶାର ସମସ୍ତ ସାଂସଦ, ଦଳୀୟ ବିଧାୟକ ଓ ତୁଙ୍ଗ ନେତାମାନେ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଚାଷୀ ସାମ୍ନା କରୁଥିବା ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍‌ନୀ ଛଟ୍‌ନୀ, ବଳକା ଧାନ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ଦଳୀୟ ନେତା।

ମଣ୍ଡିରେ ଦେଖାଦେଇଥିବା ସମସ୍ୟା ମନୁଷ୍ୟକୃତ ବୋଲି ବିଜେପି ନେତାମାନେ ଅଭିଯୋଗ କରିବା ସହିତ ପିଏମ୍ କିଶାନ ଯୋଜନାରେ ଚାଷୀଙ୍କ ସଂଖ୍ୟା ହ୍ରାସକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ଦଳ। ସଭା ସରିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବୁଢ଼ାରଜା, ଲକ୍ଷ୍ମୀ ଟକିଜ୍ ଦେଇ ଆର୍‌ଡିସି ପର୍ଯ୍ୟନ୍ତ ଯାଇଥିଲା।

ଏହି ଘଟଣାରେ ଆଜି ବିଜେପି ନେତାଙ୍କୁ ପ୍ରତିଷେଧକ ମୂଳକ ଗିରଫ କରିଥିଲା ପୋଲିସ। ଏହାପରେ ଥାନା ଛାଡ଼ିବାକୁ ମନା କରିଦେଇଥିଲେ ବରିଷ୍ଠ ବିଜେପି ନେତା। ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି “ମଣ୍ଡିରେ ଧାନ ପଡ଼ି ରହିଛି। ସରକାର ଧାନ ଉଠାଇବା ପାଇଁ ନିଷ୍ପତ୍ତି ନେବା ଦରକାର। ସରକାର ଧାନ ଉଠାଇବାକୁ ନିଷ୍ପତ୍ତି ନିଅନ୍ତୁ ଆମେ ଏଠାରୁ ଉଠିବୁ।”

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ ନାଏକ କହିଛନ୍ତି “ଆଲୋଚନା କରି ଶାନ୍ତିଶୃଙ୍ଖଳାରେ ସମାଦାନ ହୋଇପାରିଥାନ୍ତା। କିନ୍ତୁ ଏହା ହୋଇପାରିଲା ନାହିଁ।”

ଅନ୍ୟପଟେ ବରଗଡ଼ ସାଂସଦ ସୁରେଷ ପୂଜାରୀ କହିଛନ୍ତି ” ହଜାର ହଜାର କ୍ୱିଣ୍ଟାଲ ଧାନ ପଶ୍ଚିମଓଡ଼ିଶାର ବିଭିନ୍ନ ମାର୍କେଟୟାର୍ଡରେ ପଡ଼ିକି ଅଛି। ଚାଷୀ ଚାପରେ ଅଛି। ତେଣୁ ଆମେ ସମାଧାନ ପାଇଁ ଆସିଥିଲୁ। କିନ୍ତୁ ସରକାର ଭାବିଲେ ଗିରଫ କରିଦେଲେ ଏମାନେ ସବୁ ପଳେଇବେ। କିନ୍ତୁ ସମାଧାନ ନହେଲେ ଏଠାରୁ ଉଠିବୁ ନାହିଁ।”

ସେପଟେ ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୋଷଣ କରୁଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏନେଇ ସେ କହିଛନ୍ତି “ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ଚାଷୀକୁ ଶୋଷଣ କରୁଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାକୁ ଶୋଷଣ କରୁଛନ୍ତି। ବିଜେପିକୁ ମୋର ପ୍ରଶ୍ନ ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ସେଣ୍ଟ୍ରାଲ୍‌ ଗଭର୍ଣ୍ଣମେଣ୍ଟ ଆକ୍ଟ କି ନୁହେଁ  ? ଏଥିରେ ସେକ୍ସନ ୧୩ ଅନୁସାରେ ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଧାନ କିଣିବା କଥା କି ନୁହେଁ ?”

ତେଣେ ବିଜେଡି କହିଛି କେନ୍ଦ୍ର କୃଷି ଆଇନ୍ ବିରୋଧରେ ଚାଲିଥିବା ଆନ୍ଦୋଳନରୁ ନଜର ହଟାଇବା ଲାଗି ଏହି ଆନ୍ଦୋଳନ କରାଯାଇଛି। ଏନେଇ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ” ଭାରତ ବର୍ଷରେ ପ୍ରାୟ ଦୁଇ ମାସରୁ ଅଧିକ ସମୟ ଧରି ଯେଉଁ ଚାଷୀ ଆନ୍ଦୋଳନ ଚାଲିଛି ସେଥିରୁ ମୁହଁ ଫେରାଇବା ପାଇଁ ବିଜେପି ଏପରି ନାଟକ ସୃଷ୍ଟି କରିଛି।”

ସବୁ ଦଳର ଫୋକସ୍‌ରେ ଏବେ ଚାଷୀ ରହିଥିବା ବେଳେ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରି ଉଭୟ ବିଜେପି ଓ ବିଜେଡି ରାଜନୈତିକ ଗୋଟି ଚଳାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ସମାବେଶକୁ ଟକ୍କର ଦେଇ ସମ୍ବଲପୁରରେ ବିଜେପିର ଏଭଳି ବିରାଟ ଚାଷୀ ସମାବେଶ ଓ ରାଲି କରିଛି ବୋଲି କୁହାଯାଉଛି। ତେବେ ଆଗକୁ ମୁଖ୍ୟମନ୍ତ୍ରୀଙ୍କର ସୁନ୍ଦରଗଡ଼ରେ ବି ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ:- ଦେବେନ୍ଦ୍ର ବେହେରା, ସଂଜୟ ଜେନା, ହରିହର ଚାନ୍ଦ

You might also like