ପରୀକୁ ନ୍ୟାୟ ଦେବାକୁ ଆଜିଠୁ ବିଜେପିର ପଦଯାତ୍ରା ଆନ୍ଦୋଳନ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦାବିରେ ବିଜେପିର ଜନ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଦଳ ରାଜ୍ୟରେ ୧୪୭ ବିଧାନସଭାରେ ପଦଯାତ୍ରା ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା ଆରମ୍ଭ କରିବ।  ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନତୀ ଶ୍ରୀନିବାସନ୍ ଏଥିରେ ଯୋଗ ଦେବେ। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ନୟାଗଡ଼ି ଯଦୁପୁରରେ ପହଞ୍ଚିବ। ଆଜି ଲିଙ୍ଗରାଜ ମନ୍ଦିରରୁ ଯାଆଁଳା, ଆସନ୍ତାକାଲି ଯାଆଁଳାରୁ ସାରୁଅ, ତା ପରଦିନ ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ପରୀ ହତ୍ୟାକାଣ୍ଡ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନତୀ ଶ୍ରୀନିବାସନ୍। ହତ୍ୟାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ବିଜେପି ପକ୍ଷରୁ ହେଉଥିବା ଦାବିକୁ ସେ ଦୋହରାଇଛନ୍ତି। ଏସଆଇଟି ତଦନ୍ତ ଆଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯିବା ସହ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଭନତୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଥାଉକି, ଗତକାଲି ଭନତୀ ଶ୍ରୀନିବାସନ ପୁରୀ ଗସ୍ତରେ ଯାଇ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ।

ଏହି ଘଟଣାରେ ଗତକାଲି SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। ଏସଆଇଟି କାହାକୁ ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଗତକାଲି ମଧ୍ୟ ପରୀ ହତ୍ୟା ମାମଲାରେ SIT ୩ ଜଣଙ୍କୁ ଉଠାଇ ନେଇଥିବାର ସୂଚନା ମିଳିଥିଲା। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଥିଲା। ତେବେ  ଏହା ପୂର୍ବରୁ ପୀରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ ସରୋଜ। ମାମଲାକୁ ପୂରା ନିଜ ନାଁରେ ନେବା ପାଇଁ କହିବା ସହ ଟଙ୍କା ଯାଚିଥିବା ସରୋଜ ଗଣମାଧ୍ୟମକୁ କହିଥିଲେ। ଯାହାକୁ ଖଣ୍ଡନ କରିଥିଲା ଓଡ଼ିଶା ପୋଲିସ। ସରୋଜଙ୍କ ଏପରି ବୟାନ ଓ  ଅଭିଯୋଗ ଟିମକୁ ହତୋତ୍ସାହ କରିବ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଥିଲା। ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି ଓଡ଼ିଶା ପୋଲିସ କହିଛି।

You might also like