ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ ହେଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।
ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଏଥିସହ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି।
ଗତକାଲି 5-T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ ଯୋଜନାର ତଦାରଖ କରିଥିଲେ। ତେବେ ଡାକ୍ତରଖାନାରେ ଖାଇବାକୁ ମିଳୁ ନ ଥିବା ସହ ରକ୍ତ ପରୀକ୍ଷା ନିଜ ଖର୍ଚ୍ଚରେ ବାହାରେ କରିବାକୁ ପଡ଼ୁଥିବା ରୋଗୀମାନେ ଅଭିଯୋଗ ଆଣିଥିଲେ। ଏହାପରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ସସ୍ପେଣ୍ଡ୍ କରାଯାଇଥିଲା।
ଏହାର ବିରୋଧରେ ବିଜେପି ଗତକାଲି ବିକ୍ଷୋଭ ଓ ରାଲି କରିବା ସହ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ 5T ସଚିବଙ୍କ କୁଶପୁତ୍ତଳିକା ଦାହ କରିଥିଲା। ଦଳ ପକ୍ଷରୁ ଡାକ୍ତର ପଙ୍କଜ ପଟେଲଙ୍କୁ ସମର୍ଥନ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ କାହିଁକି ପୂରଣ କରାଯାଉନାହିଁ ବୋଲି ପ୍ରଶ୍ନ କରାଯାଇଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।