୨୯ରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ। କଟକ ଜିଲ୍ଳା ସାଲେପୁରର କୁଳିଆରେ ଶାହଙ୍କ ସଭା ହେବ। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ତେବେ ଏନେଇ କୌଣସି ବିଧିବଦ୍ଧ ସୂଚନା ମିଳିନଥିଲେ ବି ୨୯ ତାରିଖରେ ଶାହଙ୍କ ସଭା ହେବା ନେଇ ସମ୍ଭାବନା ଥିବା କଥା ସେ କହିଛନ୍ତି। ପୂର୍ବରୁ ଜାନୁଆରୀ ୧୮ରେ ଶାହଙ୍କ ଓଡ଼ିଶା ଗସ୍ତ ଥିଲା। ତେବେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ଗସ୍ତ ବାତିଲ ହୋଇଥିଲା।

ସୁସ୍ଥ ହେବା ପରେ ଅମିତ ଶାହ ପ୍ରଥମ ଥର ପାଇଁ ଗତକାଲି ପଶ୍ଚିମବଙ୍ଗ ମାଲଦାରେ ସାଧାରଣ ସଭା କରିଥିଲେ।

ଅନ୍ୟପଟେ, ଶାହଙ୍କ ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ‘ନିର୍ବାଚନ ଯେହେତୁ ଆଉ ଶହେ ଦିନ ରହିଲା, ସ୍ୱାଭାବିକ ଭାବରେ ରାଜନୈତିକ ଦଳର ନେତାମାନେ ଆସିବେ ଓଡ଼ିଶାକୁ। ସେଥିରେ ନୂତନତ୍ୱ କ’ଣ ଅଛି? ଯଦି ଆସିବେ ନାହିଁ ତାହେଲେ ନିର୍ବାଚନ ପରେ କ’ଣ ଆସିଥାନ୍ତେ କି? ତେଣୁ ନିର୍ବାଚନ ପାଇଁ ଆସୁଛନ୍ତି ନିର୍ବାଚନୀ ପ୍ରଚାର ଅନେକ କରିଛନ୍ତି, ଅନେକ କରିବେ। ଏହାର କୌଣସି ପ୍ରଭାବ ପଡ଼ିନାହିଁ କି ଆଗକୁ ମଧ୍ୟ ପଡ଼ିବାର ବି ନାହିଁ’ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ସେପଟେ, ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି।

You might also like