‘ତଦନ୍ତ ବାଟବଣା ପାଇଁ ଚାଲିଛି ବୋଦା ଖୋଜା’
ନୟାଗଡ଼: ପରୀ ହତ୍ୟାକାଣ୍ଡର ତଦନ୍ତ ବାଟବଣା କରିବାକୁ ଚାଲିଛି ପ୍ରୟାସ। ଏକଥା କହିଛନ୍ତି ସାଂସଦ ସୁରେଶ ପୁଜାରୀ। ନୟାଗଡ଼ କଲେକ୍ଟୋରେଟ ସାମ୍ନାରେ ବିଜେପି ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇ ସାଂସଦ କହିଛନ୍ତି ଯେ ଅରୁଣ ବୋଥ୍ରାଙ୍କର ପୋଲିସ କ୍ଷମତା ନାହିଁ। ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚାଲିଛି। ପ୍ରକୃତ ଦୋଷୀକୁ ପଛଦ୍ୱାର ଦେଇ ଚାଲିଯିବାକୁ ବ୍ୟବସ୍ଥା ହେଉଛି। ତଦନ୍ତ ବାଟବଣା ପାଇଁ ବୋଦା ଖୋଜା ଚାଲିଛି ସୁରେଶ ପୂଜାରୀ କହିଛନ୍ତି।
ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା ? କିଏ ଓ କାହିଁକି ପରୀକୁ ହତ୍ୟା କଲା ? ଏନେଇ ଏବେ ଯାଏ କୌଣସି ବିଧିବଦ୍ଧ ସୂଚନା ମିଳିପାରିନି। ଅଭିଯୁକ୍ତ କିଏ ତାକୁ ନେଇ ତଦନ୍ତ କରୁଛି ଏସଆଇଟି। ଅନ୍ୟପଟେ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ପ୍ରାଥମିକ ରିପୋର୍ଟରେ ପରୀର ହତ୍ୟା ପୂର୍ବରୁ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି। ଏନେଇ ପ୍ରମାଣ ଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି।
ସେପଟେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଛନ୍ତି ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ SIT ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।