“ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ”

ଭୁବନେଶ୍ୱର: ରାଜ୍ୟରେ ଐତିହ୍ୟସ୍ଥଳ ସହ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ ହେଲେ ଏଥିପାଇଁ ବୁଲଡୋଜର ଲଗାନଯାଉ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନକରି ବିକାଶ କରାଯିବା ସମସ୍ତେ ଚାହାନ୍ତି। ହେଲେ ଏହାକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଅପରାଜିତା। ଏକ ଅଣରାଜନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟ ଗୁଡ଼ିକର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ।

ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେ ନେଇ ଜନସଚେତନତା ସୃଷ୍ଟି ଲାଗି ଐତିହ୍ୟ ପଦଯାତ୍ରା କରାଯାଉଛି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏଁ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସେ କହିଛନ୍ତି। ତେବେ ଅପରାଜିତାଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

ଏହାସହ ଅପରାଜିତା କହିଛନ୍ତି ଯେ, ଏକାମ୍ର କ୍ଷେତ୍ର ଲାଗି ଆମର ଶ୍ରଦ୍ଧା ଓ ସମ୍ମାନ ରହିଛି। ଆମେ ସମସ୍ତେ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବିତ। ଆମ ରାଜ୍ୟ ହେଉଛି ମଠ ଓ ମନ୍ଦିରର ରାଜ୍ୟ। ଭୁବନେଶ୍ୱର ହେଉଛି ମନ୍ଦିର ମାଳିନୀ ସହର। ଆମ ମନ୍ଦିର ଓ ମଠ କେମିତି ସୁରକ୍ଷିତ ରହିବ। ଏ ସନ୍ଦେଶକୁ ନେଇ ଆଜିର ଏହି ପଦଯାତ୍ର ହେଉଛି। କେବଳ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରହିଛି।

ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ କେହି ନାହାନ୍ତି। ଆମେ ସମସ୍ତେ ବିକାଶ ଚାହୁଁଛନ୍ତି। ତ୍ୱରାନ୍ୱିତ ବିକାଶ ସହ ପ୍ରଗତିଶୀଳ ବିକାଶ ଆମେ ମାନେ ସମସ୍ତେ ଚାହୁଁଛୁ। କିନ୍ତୁ ଐହିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ ବୋଲି ଅପରାଜିତା କହିଛନ୍ତି।

You might also like