ଭୁବନେଶ୍ୱର: ଗୃହରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ  ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଧାୟକ।

ଆଜି ଆରମ୍ଭରୁ ବିଧାନସଭାରେ ଧାନକିଣାକୁ ନେଇ ହଙ୍ଗାମା ଚାଲିଥିବା ବେଳେ ଚାଷୀଙ୍କ ସବୁ ଧାନ କିଣା ନହେଲେ ବିଧାନସଭାରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ ବିଧାୟକ ସୁବାସ ପାଣିଗ୍ରାହୀ ।  ପୂର୍ବରୁ ଥରେ ଓ ଆଜି ଆଉ ଥରେ ଆତ୍ମାହୁତି ଚେତାବନୀ ଦେବା ପରେ ସେ ସତସତିକା ଏପରି ଚରମ ନିଷ୍ପତ୍ତି ନେଇଛନ୍ତି।

ଧାନ କିଣା ପ୍ରସଙ୍ଗରେ ଆଜି ବିଜେପି ଅଭିଯୋଗ କରିଥିଲା, ସରକାର ଗୃହର ଗାରିମା ଭାଙ୍ଗିଛନ୍ତି, ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି, ଚାଷୀଙ୍କ କର୍ଷ ଅର୍ଜିତ ସମ୍ପତ୍ତିକୁ ଗାଈଗୋରୁ ଖାଉଛନ୍ତି। ତେଣୁ ଏପରି ସମସ୍ୟାର ତୁରନ୍ତ ସମାଧାନ ହେଉ ତଥା ପ୍ରକୃତ ଚାଷୀଙ୍କ ଧାନ ଉଠାନ୍ତୁ ବୋଲି ଦାବି କରାଯାଇଥିଲା।

ସୂଚନାଯୋଗ୍ୟ ଆଜି ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖିଥିଲେ ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ ବି ରୁଲିଂ ଦେଇଥିଲେ ବାଚସ୍ପତି ।

Other Stories