କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ? ନବୀନଙ୍କୁ ଖୋଜିବାକୁ ବାହାରିଲା ବିଜେପି, ପଛେପଛେ ଗଲା ବିଜେଡି

ଭୁବନେଶ୍ୱର: ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି  ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି ସଦସ୍ୟଙ୍କ ପଛରେ ବିଜେଡି ନେତାମାନେ ମଧ୍ୟ ନବୀନ ନିବାସ ଯାତ୍ରା କରିଛନ୍ତି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବାକୁ ଯାଉଛୁ। ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ, ପଚାରିବୁ। ରାଜନୈତିକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବୁଲୁଛନ୍ତି, ହେଲେ ବିଧାନସଭା କାହିଁକି ଆସୁନାହାନ୍ତି ?’

ବିଜେପି ସଦସ୍ୟମାନେ ନବୀନ ନିବାସକୁ ଯାତ୍ରା କରିବା ପ୍ରସଙ୍ଗରେ ବିଜେଡି ନେତା କହିଛନ୍ତି, ବିଜେପି ସଦସ୍ୟଙ୍କୁ ଆମେ ନେଇ କି ଯାଉଛୁ। ସେମାନେ(ବିଜେପି ନେତା) ପାଉ ନାହାନ୍ତି ବୋଲି କହୁଛନ୍ତି। ତେଣୁ ଆମେ ତାଙ୍କୁ ସାଥିରେ ନେଇ ଯାଉଛୁ।’

ସେପଟେ, ବିଜେପି ସଦସ୍ୟଙ୍କୁ ପାଛୋଟି ନେବାକୁ ନବୀନ ନିବାସରେ ବିଜୁ ଯୁବ, ଛାତ୍ର, ମହିଳା ନେତା ଏକତ୍ର ହୋଇଛନ୍ତି।

ବିଜେଡି ସଦସ୍ୟମାନଙ୍କ ପ୍ରତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସେମାନେ କିଏ ? କାହିଁକି ଆମକୁ ଅଟକାଉଛନ୍ତି ? ଏମାନେ ନିଜେ ଭେଟି ପାରୁନାହାନ୍ତି, ଆମକୁ କ’ଣ ଭେଟ କରାଇବେ ? ଏମାନଙ୍କର ଔକାତ୍‌ ନାହିଁ।’

ଅନ୍ୟପକ୍ଷେ, ଜୟନାରାୟଣଙ୍କ ମନ୍ତବ୍ୟରେ ବିଜେଡି ବିଧାୟକ ପ୍ରଣବ ଦାସ ପ୍ରତିକ୍ରିୟା ରଖି କହିଛନ୍ତି,
‘ଆମ ନେତାଙ୍କ ପାଖକୁ ଯାଉଛନ୍ତି, ଆମେ ଭେଟ କରିବାକୁ ନେଉଛୁ।’

ସେପଟେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ବିଧାନସଭା ସମସ୍ତଙ୍କର। ବିଧାନସଭା ଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର। ବିଧାନସଭାକୁ ଆମେ ଯଦି ଚଲାଇ ପାରୁନାହୁଁ, ତା’ହେଲେ ଆମେ ସମସ୍ତେ ନିଜକୁ ନିଜେ ପଚାରିବା ଦରକାର, ଏଥିପାଇଁ ଆମକୁ କ’ଣ କରିବାକୁ ପଡ଼ିବ।’

You might also like