ମାହାଙ୍ଗା ଡବଲ ମର୍ଡର ଘଟଣା; ପୃଥ୍ୱୀରାଜ କହିଲେ ୪୮ ଘଣ୍ଟାରେ ଦୋଷୀ ଧରା ନପଡ଼ିଲେ…
ଭୁବନେଶ୍ୱର: ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣୀ ବରାଳଙ୍କୁ ହତ୍ୟା ନେଇ ରାଜନୀତି ତେଜିବାରେ ଲାଗିଛି। କୁଳମଣୀଙ୍କ ହତ୍ୟାକାଣ୍ଡକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
If the culprits along with the perpetrators are not arrested in 48 hours, the Government will face the tune in every nook & corner of the State. The Ministers along with the @CMO_Odisha will not be allowed to attend any public function.
— Prithiviraj Harichandan (@PrithivirajBJP) January 3, 2021
ସେ କହିଛନ୍ତି, ବିଜେଡି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ କଂଗ୍ରେସ କରୁଥିଲା, ଏବେ ବିଜେଡି କରୁଛି। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ୪୮ ଘଣ୍ଟାରେ ଦୋଷୀ ଧରା ନ ପଡ଼ିଲେ, ରାଜ୍ୟରେ ପ୍ରତିବାଦ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି।
ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଟ୍ୱିଟ କରି କ୍ଷୋଭ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତି ବିରୋଧରେ କହିବାରୁ ତାଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀଙ୍କ ନାଁ ଏତଲାରେ ମଧ୍ୟ ଉଲ୍ଲେଖ ରହିଛି। ଓଡ଼ିଶା ମଧ୍ୟ ବଙ୍ଗଳା ପଥରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।
ଅନ୍ୟପଟେ ଘଟଣା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସେ କହିଛନ୍ତି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି କାହିଁକି ସକ୍ରିୟ ହୋଇନି ? ନିର୍ବାଚନ ଜିତିବା ସକାଶେ ଶାସକ ଦଳ କ୍ଷମତା ପାଇଁ ହତ୍ୟାକାଣ୍ଡ ଭିଆଉଛି। ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ସରକାର ବିଫଳ ହୋଇଛନ୍ତି ବୋଲି ଅପରାଜିତା କହିଛନ୍ତି।
ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୭ଟି ରାଜନୈତିକ ହତ୍ୟା ଏବଂ ପଞ୍ଚାୟତ ନିର୍ବାଚନ ବେଳେ ୧୪ କର୍ମୀଙ୍କୁ ହତ୍ୟା କରାଯାଇଛି। ସାଧାରଣ ନିର୍ବାଚନ ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଜଣଙ୍କୁ ହତ୍ୟା ହୋଇଛି। ପିଏମ ଆବାସ ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ହୋଇଛି। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି କହିଛନ୍ତି ଅପରାଜିତା।
ସେପଟେ ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ଲଢେଇ ଜାରି ରଖିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି।
ଅନ୍ୟପଟେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକ୍ରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି। ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇ ଆସିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବରିଷ୍ଠ ବିଜେପି ନେତାଙ୍କ ହତ୍ୟାକାଣ୍ଡର ଜୋରଦାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରାଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି।
ସେପଟେ କେନ୍ଦ୍ରାପଡ଼ାର ଟାଉନ୍ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଗିରଫ ଦାବି କରି ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ନାରାବାଜୀ କରିଛନ୍ତି।
ଏହି ଘଟଣାରେ ମାହାଙ୍ଗା ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଅଭିଯୋଗ ହେବା ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ବିଜେପି ଯାହା କହିବା କଥା କହୁ, ଆମେ ଯାହା କରିବା କଥା କରିବୁ। ଘଟଣାରେ ମୋ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଆପେଆପେ ଜଣାପଡ଼ିବ ବୋଲି କହିଛନ୍ତି ପ୍ରତାପ।
ପ୍ରତାପ ଆହୁରି ମଧ୍ୟ କହିଛନ୍ତି ଯେ , ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଉଚିତ। ତେବେ ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାରଣ ବିଜେପି ଘଟଣାକୁ ଅଯଥାରେ ରାଜନୈତିକ ରୂପ ଦେବାକୁ ଚାହୁଁଛି। ଯେପରି ଦୋଷୀ ତୁରନ୍ତ ଗିରଫ ହୋଇ କଠୋର ଦଣ୍ଡ ପାଉ ସେ ନେଇ ବ୍ୟକ୍ତିଗତ ଭାବେ ମୁଁ ନିଜେ ଉଦ୍ୟମ କରିବି ବୋଲି ପ୍ରତାପ କହିଛନ୍ତି।