ଘୋଷଣା ଆଉ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ପଇସା ପଡ଼େ ନାହିଁ: ଲେଖାଶ୍ରୀ

କଥା ନୁହେଁ କାମ କରିବା ଦରକାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି। ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ସେ ଉଦବୋଧନ ଦେଇଥିଲେ। ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଉ ଏପଟେ ନବୀନଙ୍କ ଗସ୍ତକୁ ନେଇ ବର୍ଷିଛନ୍ତି ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି, ଘୋଷଣା କରିବା ପାଇଁ ପଇସା ଲାଗେ ନାହିଁ କି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଇସା ପଡ଼େନି। ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ଅର୍ଥ ଓ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି। ୨୧ ବର୍ଷ ଭିତରେ ଏମିତି ହଜାର ହଜାର ଭିତ୍ତିପ୍ରସ୍ତର ଓଡ଼ିଶା ସାରା ହୋଇଛି, କିନ୍ତୁ କାର୍ଯ୍ୟକାରୀ ହେବାରେ ନାଁ ଧରୁନାହିଁ ବୋଲି ଲେଖାଶ୍ରୀ କହିଛନ୍ତି।

ସେହିପରି ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ କହିଛନ୍ତି, ବିଜେଡିର ଏପରି ଦିନିକିଆ ହୋହାଲ୍ଲାରେ କିଛି ହେବନି। ସୁନ୍ଦରଗଡ଼ର ଜଣେ ବି ମନ୍ତ୍ରୀ ଏବେ ନବୀନ ସରକାରରେ ନାହାନ୍ତି, ଏଠି ଆଦିବାସୀଙ୍କୁ କିଛି ମହତ୍ତ୍ୱ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଜୁଏଲ।

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିରୋଧ କରିଛି ବିଜେପି। ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀଙ୍କୁ ଗିରଫ କରିନେଇଥିଲା ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ‘ଧୋକ୍କା ଦିବସ’ ପାଳନ କରାଯାଉଛି। ପାନପୋଷ ଛକ ନିକଟରେ ଶତାଧିକ କଂଗ୍ରେସ କର୍ମୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ବିରୋଧ କରିଛନ୍ତି।

ବିରୋଧ ଭିତରେ ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ରାଉରକେଲା ହେଉଛି ଆଶାର ସହର। ସୁନ୍ଦରଗଡ଼ ମାଟି, ପାଣି, ପବନରେ ହକିର ଆତ୍ମା ରହିଛି। ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ଲାଗି ମନୋନୀତ କରାଯାଇଛି। ଏହି ହକି ଷ୍ଟାଡିୟମର ନାଁ ‘ବିର୍ସା ମୁଣ୍ଡା ଷ୍ଟାଡିୟମ’ ରଖାଗଲା ବୋଲି ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଷ୍ଟାଡିୟମ୍ ଦେଶର ସବୁଠାରୁ ବଡ ଷ୍ଟାଡିୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like