‘ବିନା କୋଭିଡ୍ ଟେଷ୍ଟରେ କ୍ୱାରେଣ୍ଟିନ ସେଣ୍ଟରରୁ ଘରକୁ ଯାଉଛନ୍ତି ପ୍ରବାସୀ’

ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ତେଣୁ ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର।

କ୍ୱାରେଣ୍ଟିନ ଅବ୍ୟବସ୍ଥାକୁ ନେଇ ଏହିଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ କରିବାକୁ ଦଳ ଦାବି କରିଛି।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି, କ୍ୱାରେଣ୍ଟିନ ସମୟ ସରିବା ପରେ ପ୍ରୋତ୍ସାହନ ରାଶି ଦିଆଯାଉନାହିଁ। ଠିକ୍ ଢଙ୍ଗରେ କ୍ୱାରେଣ୍ଟିନ ପରିଚାଳନା ନହେଲେ ଏବଂ କେନ୍ଦ୍ରରୁ ଆସୁଥିବା ଅର୍ଥକୁ ନେଇ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଲେ ଏହାର ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

କେନ୍ଦ୍ରୀୟ ଯୋଜନାରେ ଅନିୟମିତତାକୁ ଧରିବା ପାଇଁ ସବୁ ପଞ୍ଚାୟତରେ ଆରଟିଆଇ ପ୍ରମୁଖ ନିଯୁକ୍ତ କରାଯିବ ଓ କେନ୍ଦ୍ର ପଠାଉଥିବା ଅର୍ଥର କଡ଼ାଗଣ୍ଡା ହିସାବ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ବିଜେଡି ଏହାର ପ୍ରତିକ୍ରିୟା ରଖି କହିଛି, ଏବେ ଦୋଷଦର୍ଶିତା ନୁହେଁ, ଏକତା ଭାବ ରଖି କାର୍ଯ୍ୟ କରିବା ଉଚିତ।

You might also like