୭ ଦିନରେ କେମିତି ବଦଳିଲା ନିଷ୍ପତ୍ତି ? ପୁଣିଥରେ ଖୋର୍ଦ୍ଧା ବିଜେପି ସଭାପତି ହେଲେ ରଶ୍ମୀରଞ୍ଜନ

ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ନିଯୁକ୍ତି ପ୍ରସଙ୍ଗରେ ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପୁଣି ଥରେ ଗତକାଲି ସଭାପତି ଭାବରେ ନିଯୁକ୍ତି ମିଳିଛି। ସପ୍ତାହକରେ କିପରି ନିଷ୍ପତ୍ତି ବଦଳି ଗଲା ବୋଲି ଚର୍ଚ୍ଚା ହେଉଛି।

ଗତ ୧୨ ତାରିଖରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଖୋର୍ଦ୍ଧା ଜିଲ୍ଲାର ବିଜେପି ସଭାପତି ଭାବେ ଯତିନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି କରାଯାଇଥିବା ନେଇ ଏଥିରେ ସୂଚନା ଦିଆଯାଇଥିଲା। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସ୍ୱାକ୍ଷର ଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।

ତେବେ ଏହାର ୭ ଦିନ ପରେ ଗତକାଲି ଦଳର ସଭାପତି ସମୀର ମହାନ୍ତି, ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଥିବା ନେଇ ଧାଡିକିଆ ଚିଠି ଲେଖି ଜଣାଇଥିଲେ। ତେବେ କଣ ପାଇଁ ଓ କାହା ଚାପରେ ରଶ୍ମୀରଞ୍ଜନଙ୍କୁ ହଟାଯାଇଥିଲା ଏବଂ ୭ ଦିନ ମଧ୍ୟରେ ପୁନଃନିଯୁକ୍ତି ଦିଆଗଲା ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୭ ଦିନ ତଳେ ରଶ୍ମୀରଞ୍ଜନଙ୍କୁ ସଭାପତି ଭାବେ ହଟାଯିବା ବେଳେ ସ୍ଥାନୀୟ ସାଂସଦ ଏବଂ କୋର୍ କମିଟି ସଦସ୍ୟଙ୍କ ମତାମତ ଲୋଡା ଯାଇ ନ ଥିଲା। ଏହାକୁ ନେଇ ଅସନ୍ତୋଷ ଉପୁଜିବା ପରେ ଏହି ଖବର କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ପହଞ୍ଚିଥିଲା ଶୀର୍ଷ ସ୍ତରରେ ହସ୍ତକ୍ଷେପ ପରେ ପୁଣି ଥରେ ରଶ୍ମୀରଞ୍ଜନଙ୍କୁ ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ  କରାଯାଇଥିବା କୁହାଯାଉଛି।

You might also like