ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଦଳ ଲାଗି ପଡ଼ିଛି। ଏନେଇ ଆଜିଠୁ ଦୁଇ ଦିନ ଯାଏ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ବିଜେପିର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ମୁଖ୍ୟତଃ ଏହି ବୈଠକରେ ଦଳ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଚୟନ ସହ ଅନ୍ୟାନ୍ୟ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।

ସେହିପରି ନିକଟରେ କିଛି ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଦଳ ମାନସ ମନ୍ଥନ ମଧ୍ୟ କରିବ। କେଉଁ କାରଣ ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦଳର ପ୍ରଦର୍ଶନ ଖରାପ ରହିଲା ସେ ନେଇ ବିଚାର ବିମର୍ଷ ହେବ।

ଏଥିସହ ଡିସେମ୍ବରରେ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ  ହୋଇଥିବା ରାଜ୍ୟସ୍ତରୀୟ ବିଭିନ୍ନ ଟାସ୍କର ରିପୋର୍ଟ କାର୍ଡକୁ ତର୍ଜମା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଚଳିତ ମାସ ଏବଂ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ସାଧାରଣ ବୈଠକକୁ ନେଇ ତାରିଖ ମଧ୍ୟ ଘୋଷଣା ହେବ।

ଏହି ଧାରାରେ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୧୫ ଓ ୧୬ ତାରିଖରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ବୈଠକ ଡାକିବା ନେଇ ସମ୍ଭାବନା ରହିଛି। ତେବେ ଆଜିର ଜାତୀୟ ପରିଷଦ ବୈଠକରେ ଓଡ଼ିଶାରୁ ପ୍ରାୟ ୩ ଶହ କର୍ମକର୍ତ୍ତା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

You might also like