ସରକାରଙ୍କ ୯ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଭୟଙ୍କର କହିଲା ବିଜେପି
ଭୁବନେଶ୍ୱର: ରାଜ୍ୟରେ ୯ ହଜାର ସ୍କୁଲ ବନ୍ଦ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଛି ବିଜେପି। ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ପିଲା। ତେଣୁ ୬ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ୁଥିବା ଜଣାପଡ଼ୁଛି। ତେବେ ସରକାର ଏ ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।
ସ୍କୁଲ ବନ୍ଦ ଯୋଗୁ ଅଧାରୁ ସ୍କୁଲ ଛାଡ଼ିବା ହାର ୮୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ଦଳ। ତେବେ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରନ୍ତୁ, ଏଥିପାଇଁ ଦଳ ୧୫ ଦିନ ସମୟ ଦେଇଛି। ଏନେଇ ଯଦି ସରକାର ସଠିକ୍ ନିଷ୍ପତ୍ତି ନନେବେ ଆଗାମୀ ଦିନରେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ଓ ଏନେଇ ବିଜେପି କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।