ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହୋଇ ନାହିଁ-ସଂସ୍କୃତି ମନ୍ତ୍ରୀ

ପୁରୀ: କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ସେ କହିଛନ୍ତି, ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ ସର୍ବସାଧାରଣ ନୋଟିସ୍ କାଏମ ରହିଛି।

ଅନ୍ୟପଟେ NMAର ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦିର ସେବାୟତମାନେ ଆଜି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର କିଛି ନେତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସେମାନେ ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠାକୁ ନେଇ ବିବାଦ ଦେଖା ଦେବା ପରେ ଗତକାଲି କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିଥିଲେ।

NMAର ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦିର ସେବାୟତ ଓ ବିଜେପି ନେତା ଆଜି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିବା ବେଳର ଦୃଶ୍ୟ

ସେପଟେ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ  ଗୋଲକ ମହାପାତ୍ର। ସେ କହିଛନ୍ତି ଯେ NMA ଗୋଟେ ଅଥୋରିଟି। NMA ଆସିବା ପରେ ରାଜ୍ୟ ସରକାର ଲୋକ ତାଙ୍କୁ ନେଇଯାଇଥିଲେ। ସେତେବେଳେ ରାଜ୍ୟ ସରକାର ତାଙ୍କୁ କହିବା ଦରକାର ଥିଲା ଯେ ଏହା ମନ୍ୟୁମେଣ୍ଟ ନୁହେଁ, ଚଳନ୍ତି ଠାକୁର। ତେଣୁ ତାହା ମନ୍ୟୁମେଣ୍ଟ ହୋଇପାରିବନି। ତେଣୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏନ୍ଏମ୍ଏକୁ ଭମ୍ରିତ କରିଛନ୍ତି। ଚଳନ୍ତି ପ୍ରତିମା ପୂଜା ପାଉଥିବା ଅଞ୍ଚଳ ମନ୍ୟୁମେଣ୍ଟ ଶ୍ରେଣୀରେ କିପରି ହେଲା ବୋଲି ପ୍ରଶ୍ନ କରିବା ସହିତ ତଦନ୍ତ ହେଉ ବୋଲି  ଗୋଲକ କହିଛନ୍ତି। ତେବେ ଗୋଲକଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପଟେ ଆଜି ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କିଏ ସର୍କୁଲାର ଜାରି କରିଥିଲା ତାର ତଦନ୍ତ ହେଉ ବୋଲି ବିଜୟ କହିଥିଲେ। ଏଥିସହିତ କିଛି ଚକ୍ରାନ୍ତକାରୀ ଷଡ଼ଯନ୍ତ୍ର କରିଥିବା ସନ୍ଦେହ ହେଉଛି। ପୁରୀକୁ ଶ୍ରୀହୀନ କରିବାକୁ କିଏ ଚକ୍ରାନ୍ତ କରୁଛି ତାର ତଦନ୍ତ ହେଉ ବୋଲି ବିଜୟ ମହାପାତ୍ର କହିଛନ୍ତି।

You might also like