ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି। ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି।

ଆଗାମୀ ଉପନିର୍ବାଚନରେ ପିପିଲିରେ ଇତିହାସ ସୃଷ୍ଟି ହେବ। ପରୋକ୍ଷରେ ପିପିଲିରେ ବିଜେଡିର ଗଡ଼ ଭାଙ୍ଗିବ। ଗରିବ ଲୋକଙ୍କ ହକ୍‌ ପାଇଁ ମୋର ଲଢେଇ ଜାରି ରହିବ।
-ଆଶ୍ରିତ ପଟ୍ଟନାୟକ

ସେହିପରି ବିଜେଡି ଓ କଂଗ୍ରେସର କିଏ ହେବ ପିପିଲିର ପ୍ରାର୍ଥୀ? ବିଶେଷ କରି ବିଜେଡି କଥା କହିବାକୁ ଗଲେ ମହାରଥୀ ପରିବାରର ରାଜ୍ ଚାଲିବ ନା ସୁପ୍ରିମୋ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନୀ ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି।

ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

You might also like