କେନ୍ଦ୍ର ଦେଉଛି, ରାଜ୍ୟ ହାଇଜାକ୍‌ କରୁଛି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ରାଜ୍ୟର ବିଭିନ୍ନ ଥାନାରେ ଦଳ ପକ୍ଷରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଉଛି। କ୍ୟାପିଟାଲ ଥାନାରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ଆଗରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଥିଲା। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହାଇଜାକ୍ କରି ରାଜ୍ୟ ସରକାର ବିଜୁ ପକ୍କା ଘର ନାଁରେ କରୁଥିବା ନେଇ ବିଜେପି ଅଭିଯୋଗ କରି ଆସୁଛି।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘର କାନ୍ଥରେ ବିଜୁ ପକ୍କା ଘର ବୋଲି ଷ୍ଟିକର ମାରି ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି। ଆଇନ ଅନୁସାରେ, କେନ୍ଦ୍ରର କୌଣସି ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରିପାରିବେ ନାହିଁ। ହେଲେ ରାଜ୍ୟ ସରକାର ଏଭଳି କରୁଥିବାରୁ ବିଜେପି ଗତକାଲି ବ୍ଲକ ଅଫିସ ଆଗରେ ଧାରଣା ଦେବା ପରେ ଆଜି ପ୍ରତ୍ୟେକ ଥାନାରେ ସରକାରଙ୍କ ବିରୋଧରେ ଏତଲା ଦିଆଯାଉଛି।

ଏ ନେଇ ଜଣେ ବିଜେପି ନେତ୍ରୀ କହିଛନ୍ତି ଯେ, ଚୋର ମୁହଁ ଟାଣ। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘର କାନ୍ଥରେ ବିଜୁ ପକ୍କା ଘର ବୋଲି ଷ୍ଟିକର ମାରି ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ବିଜେପିର ଏହା ବି ଅଭିଯୋଗ ଯେ, ଏହି ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଓ ବିଜେଡି କର୍ମୀ ଘର ପାଇଛନ୍ତି ଏହାକୁ ନେଇ ରାଜ୍ୟର ୩୧୪ଟି ବ୍ଲକରେ ଦଳ ପ୍ରତିବାଦ କରୁଛି। ଦଳ ପ୍ରତିବାଦ ସ୍ୱରୂପ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପତ୍ର ମାଧ୍ୟମରେ ଦେଇଥିବା ବାର୍ତ୍ତାକୁ ଚିରୁଛନ୍ତି। ବିଜେପି ନେତା ଓ କର୍ମୀ ଆଜି ସବୁ ଥାନାରେ ଏତଲା ଦେଉଛନ୍ତି। ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଇନାହାନ୍ତି କି ହିତାଧିକାରୀଙ୍କ ଚୟନ ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇପାରିନଥିବା ପୃଥ୍ୱୀରାଜ ଅଭିଯୋଗ କରିଥିଲେ। ସାମାଜିକ ଅର୍ଥନୈତିକ ସର୍ଭେରେ ଥିବା ୨୭ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମେ ଘର ଦେବାକୁ କହିଥିଲେ, ତେବେ ଦ୍ୱିତୀୟ ଦଫା ସର୍ଭେରେ ୨ ଲକ୍ଷ ନାଁ କଟିଥିବା ଦଳ ଅଭିଯୋଗ କରିଥିଲା।  ୩ ବର୍ଷରେ ଆବାସ ଯୋଜନା ରେ କେନ୍ଦ୍ର ୧୪ ହଜାର ୭୯୬ କୋଟି ଟଙ୍କା ଦେଇଛି। ହେଲେ ତିନି ବର୍ଷର ବଜେଟରେ ରାଜ୍ୟ ସରକାର ବିଜୁ ପକ୍କାଘର ପାଇଁ କେତେ ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି।

ସେହିପରି ଗତ ଜୁଲାଇରେ ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ନେଇ ବିଜେପି ଅଭିଯୋଗ କରିଥିଲା। ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେପଟେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋସିଆଲ୍‌ ମିଡିଆରେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି।

 

You might also like