‘ସରକାରୀ ସ୍କୁଲରେ କ’ଣ ସୁବିଧା ରହିଛି ?
ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାର ଘୋଷଣା କରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ସରକାରୀ ସ୍କୁଲରେ ଏପରି କଣ ବ୍ୟବସ୍ଥା କରାଯାଇଛି ଯେ, ସଂରକ୍ଷଣ କରାଯିବା କଥା ବୋଲି ପ୍ରଶ୍ନ କରିଛି ଦଳ।
ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି, ସରକାରଙ୍କୁ ଏବେ କାହିଁକି ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ିଲା ? ସମ୍ବିଧାନରେ ଉଲ୍ଲେଖ ଥିବା ଓବିସି ଏବଂ ଆର୍ଥିିକ ଅନଗ୍ରସର ଲୋକଙ୍କ ପାଇଁ କଣ ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ? ସରକାରୀ ସ୍କୁଲରେ ଭିତ୍ତିଭୂମି ନାହିଁ। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ଲ୍ୟାବ୍ ସୁବିଧା ମଧ୍ୟ ନାହିଁ। ଏସବୁ ଭିତରେ ଛାତ୍ରଛାତ୍ରୀଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ? ଖାଲି ସେତିକି ନୁହେଁ, ସଂରକ୍ଷଣ ରଖିବା ପଛରେ କି ଯୁକ୍ତି ରହିଛି ସରକାର ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।
ଲେଖାଶ୍ରୀ କହିଛନ୍ତି, ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ମେଡିକାଲ, ଇଞ୍ଜିନିୟରିଂରେ ସରଂକ୍ଷଣ ସୁବିଧା ମିଳିବ। ହେଲେ ଦେଶରେ ଗତ ୩୦ ବର୍ଷ ଧରି ଦେଶରେ ଓବିସି ମାନଙ୍କ ପାଇଁ ୨୭% ସଂରକ୍ଷଣ ଦିଆଯାଇଛି। ହେଲେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କଲେ ନାହିଁ। ମୋଦି ସରକାର ଆସିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ପିଲାଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କଲେ। ତାକୁ ମଧ୍ୟ ଲାଗୁ କଲେ ନାହିଁ। ଏହାକୁ ଲାଗୁ କରିଥିଲେ ୩୭ ପ୍ରତିଶତ ଓବିସି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ର ଉପକୃତ ହୋଇ ପାରିଥାନ୍ତେ।
ବିଶେଷ କରି ସରକାରୀ ସ୍କୁଲରେ ଏହି ବର୍ଗର ପିଲା ପଢୁଛନ୍ତି। ସରକାର ସମ୍ବିଧାନ ଅନୁମୋଦିତ ନିୟମକୁ କାର୍ଯ୍ୟକାରୀ ନ କରି ସ୍ୱତନ୍ତ୍ର ନିୟମ କାହିଁକି କରୁଛନ୍ତି ? ସରକାରୀ ସ୍କୁଲ କ’ଣ ସମ୍ବିଧାନ ଅନୁମୋଦିତ ଏକ ସ୍ୱତନ୍ତ୍ର ବର୍ଗ ହୋଇପାରିବ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସରକାର ସରକାରୀ ସ୍କୁଲ ଓ ବେସରକାରୀ ସ୍କୁଲ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।
ଏଠି କହିରଖିବୁ, ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବୋଲି ଗତକାଲି ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି।
ଏହି ସଂକଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହି କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ସେହିପରି କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିବେ। ଏହି କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଥିଲା ।
ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗତକାଲି ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିବା ସହ ଗ୍ରାମାଞ୍ଚଳର ଯେଉଁ ପିଲାମାନେ ରହୁଛନ୍ତି ସେମାନେ ଇଂଜିନିୟରିଂ ଓ ମେଡିକାଲ କୋଚିଂରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ସେତେଟା ସୁବିଧା ମିଳୁନାହିଁ। ଏହାକୁ ଆଖି ଆଗରେ ରଖି ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।