ଆଗକୁ ବିଜେଡିକୁ ଆଉ ଲୋଡ଼ିବ ତ ବିଜେପି ?

ଭୁବନେଶ୍ୱର: ରାଜ୍ୟସଭାରେ ଏନ୍‌ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଏବେ ୧୧୦ ଉପରେ ରହିଛି। ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ ସମୀକରଣ ?  ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ଆଗକୁ କଠୋର ହେବା ନେଇ ରାଜନୈତିକ ସମୀକ୍ଷକ ମତ ଦେଇଥିଲା ବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ବିଜେପି ଟିକେଟ୍‌ରେ ନିକଟରେ ୟୁପିରୁ ୮ ଓ ଉତ୍ତରାଖଣ୍ଡରୁ ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଦଳର ସଂଖ୍ୟା ୯୨ ଛୁଇଁଛି। ଆଉ ଏନ୍‌ଡିଏ ୧୧୦ ପାର୍ କରିଛି। ତେବେ ହାଫ୍ ୱେ ମାର୍କ ଅତିକ୍ରମ କରିବାକୁ ଏନ୍‌ଡିଏକୁ ଦରକାର ଆଉ ୧୨ ସାଂସଦ। ବର୍ତ୍ତମାନର ଗଣିତ ଅନୁଯାୟୀ ରାଜ୍ୟସଭାରେ ଏବେ ୨୪୨ ସାଂସଦ ଥିବାରୁ ହାପ୍‌-ୱେ ମାର୍କ ହେଲା ୧୨୧। ତେଣୁ ରାଜ୍ୟସଭାରେ ଏବେ ଅପେକ୍ଷାକୃତ ସୁବିଧା ସ୍ଥିତିରେ ରହିଛି ବିଜେପି।

ତେଣୁ ଏଭଳି ସ୍ଥିତିରେ ଆଗକୁ ବିଜେପି ଆଉ ବିଜେଡିକୁ ଲୋଡ଼ିବ ତ ? ପୂର୍ବରୁ ଧାରା ୩୭୦ ଉଛେଦ ହେଉ କି ଟ୍ରିପଲ୍ ତଲାକ୍, ସୂଚନା ଅଧିକାର ସଂଶୋଧନ ଆଇନ ଅବା ସିଟିଜେନ୍ ଆମେଣ୍ଡମେଣ୍ଟ ଆକ୍ଟ ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଇଛି ବିଜେଡି। ହେଲେ ଆଗକୁ ଏଭଳି ସ୍ଥିତି ଉପୁଜିଲେ ବିଜେପି ଟିଆର୍‌ଏସ ଓ ଓ୍ୱାଇଏସ୍ଆର୍ କଂଗ୍ରେସ ଭଳି ଅନ୍ୟ ଦଳର ସମର୍ଥନ ଲୋଡ଼ିପାରେ। ଏପରି ହେଲେ ଆଗକୁ ବିଜେଡି-ବିଜେପି ସଂପର୍କ ତିକ୍ତ ହେବନି ତ ? ନିର୍ବାଚନ ପରେ ଚାଲିଥିବା ମଧୁର ସଂପର୍କରେ ଭଟ୍ଟା ପଡିବନି ତ ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ୧୯ ନିର୍ବାଚନ ପରେ ବିଜେପି-ବିଜେଡି ଭିତରେ ବଢ଼ିଥିବା ସୁସଂପର୍କ ଉପନିର୍ବାଚନ ବେଳଠୁ ବଦଳିଥିବାର ଯଥେଷ୍ଟ ସଂକେତ ମିଳିଛି। ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଥିବାରୁ ଆଗକୁ ବିଜେଡି ପ୍ରତି ଆଭିମୁଖ୍ୟ ଆହୁରି ଶାଣିତ ହେବା ଆଶା କରାଯାଉଛି।

 

You might also like