ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣା: ବିଜେପି ଓ ବିଜେଡି ମଧ୍ୟରେ ଟ୍ୱିଟର ୱାର

ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଦୁଇ ଦଳ ମଧ୍ୟରେ ଚାଲିଲା ଟ୍ୱିଟର ୱାର। ଘଟଣାକୁ ନେଇ ବିଜେଡି ବିଧାୟକ(ଯାଜପୁର) ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟରରେ ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିଛି ବୋଲି ଟ୍ୱିଟ କରି କହିଛନ୍ତି ଲେଖାଶ୍ରୀ।

ତେବେ ପୂର୍ବରୁ ବିଧାୟକ ପ୍ରଣବ, ଟ୍ୱିଟ୍ କରି ଦିଶା ବୈଠକରେ ପ୍ରବାଦ ପୁୁରୁଷ ବିଜୁ ବାବୁଙ୍କୁ ଅସମ୍ମାନ କରାଯାଇଥିବା ଘଟଣାକୁ ନିନ୍ଦା କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିଶା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଘର ଷ୍ଟିକର ଲାଗିବାକୁ ନେଇ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ତେବେ କେବଳ ଏବେ ନୁହେଁ ବରଂ, ଅନେକ ସମୟରେ ଶାସକ ବିଜୁ ଜନତା ଦଳ ଏବଂ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏମିତି କଥା କଟାକଟି ଘଟଣା ସାମ୍ନାକୁ ଆସିଛି।

You might also like