ବିଜୟ-ଦିଲୀପଙ୍କ ବିରୋଧରେ ବିଜେପିର ସଂଗୀନ ଅଭିଯୋଗ

ଦଳରେ ଥାଇ ବି ବିଜେଡି ସହ ଥିଲା ବୁଝାମଣା

ଭୁବନେଶ୍ୱର : ବିଜୟ ଓ ଦିଲୀପଙ୍କୁ ନିଜ ପୁରୁଣା ଦଳ ବିଜେପିର ଜୋରଦାର ଅାଟାକ୍। ଉଭୟ ଇସ୍ତଫା ଦେବାପରେ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଉପରେ ବର୍ଷି ଥିଲା ବିଜେପି। ଅାଜି ପୁଣି ଏ ଦୁଇ ବରିଷ୍ଠ ନେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଅାଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ସିଧାସଳଖ ଅଭିଯୋଗ କରିଛନ୍ତି ଉଭୟ ନେତାଙ୍କର ବିଜେଡି ସହ ସଲାସୁତୁରା ଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବା, ମହାନଦୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦଳକୁ ଅକଳରେ ପକାଇବା ବିଜେଡିକୁ ଫାଇଦା ଦେଉଥିଲା। ଏପରିକି ଦୁଇ ବର୍ଷ ହେଲା ଉଭୟ ବିଜୟ ଓ ଦିଲୀପ ବିଜେଡି ସହ ଟାୟପ୍ କରିଥିଲେ ବୋଲି ପ୍ରଦୀପ ସନ୍ଦେହ ପ୍ରକାଶ କରିବା ସହ ନିଜ ମନ୍ତବ୍ୟ ଜରିଅାରେ ସେମାନେ ବିଜେଡି ପାଇଁ ଢାଲ ହୋଇଥିବା କହିଛନ୍ତି।

ସେ  ଅାହୁରି ମଧ୍ୟ କହିଛନ୍ତି ଦୁଇନେତାଙ୍କ ଏଭଳି ଅାଭିମୁଖ୍ୟରୁ ଜଣାପଡୁଛି ଖୁବ୍‌ଶୀଘ୍ର ସେମାନେ ବିଜେଡିରେ ସାମିଲ ହୋଇପାରନ୍ତି। ବିଜେଡି ସଲାସୁତୁରା ଅଭିଯୋଗକୁ ଖଣ୍ଡନ କରିବା ସହ ଉଭୟ ବିଜେପି ଛାଡିବା ଦ୍ୱାରା ପଦ୍ମ ଦଳର କ୍ଷତି ହୋଇଥିବା କହିଛି। ଦିଲୀପ କି ବିଜୟ କିନ୍ତୁ ଏ ନେଇ ମୁହଁ ଖୋଲିନାହାନ୍ତି।

ସେପଟେ ଏ ଦୁଇ ଭେଟେରାନ୍ ଲିଡର୍ କେଉଁ ଦଳକୁ ଯିବେ ତାକୁ ନେଇ ଲାଗି ରହିଛି ସସ୍‌ପେନସ୍ । ଦିଲୀପ ହୁଅନ୍ତୁ କି ବିଜୟ କେହି ବି କୌଣସି ସଂକେତ ଦେଉନାହାଁନ୍ତି। ଉଭୟଙ୍କ ସମର୍ଥକ ବିଜେପିରୁ ଇସ୍ତଫା ଦେଉଥିବା ବେଳେ ଦିଲୀପଙ୍କ ସମର୍ଥକ କହିଛନ୍ତି ଦିଲୀପ ବିଜେଡିକୁ ଯାଇପାରନ୍ତି। ବିଜେଡି ଭିତରେ ବି ଏହି ପ୍ରସଙ୍ଗରେ ନାନା ଚର୍ଚ୍ଚା ହେଉଥିଲେ ବି ଦଳ କିନ୍ତୁ କାର୍ଡ ଖୋଲୁନାହିଁ। ଦଳର ମୁଖପାତ୍ର ହୁଅନ୍ତୁ କି ଉପସଭାପତି ସମସ୍ତେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ସେପଟେ ପିସିସି ସଭାପତି କହିଛନ୍ତି ଉଭୟ ଯଦି କଂଗ୍ରେସକୁ ଅାସିବାକୁ ଚାହିଁବେ, ବିଚାର କରାଯିବ।

ବିଜୁ ସମତାକ୍ରାନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ ଗତକାଲି ବିଜୟ ଓ ଦିଲୀପଙ୍କୁ ଖୋଲାଖୋଲି ଭାବେ ତାଙ୍କ ଦଳରେ ଯୋଗ ଦେବାକୁ ଅଫର୍ ଦେଇଥିଲେ। ଏବେ ନଜର ଦୁଇ ନେତା କେଉଁ ଦଳକୁ ଯାଉଛନ୍ତି।

You might also like