ବିଜେଡି ଫୋକସ୍‌ରେ ପଶ୍ଚିମ ଓଡ଼ିଶା; କଳାହାଣ୍ଡିରେ ହେବ ମେଗା ଶୋ’

ଭୁବନେଶ୍ୱର: ବିଜେଡି ସରକାର ଫୋକସରେ ଏବେ ପଶ୍ଚିମ ଓଡ଼ିଶା। ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଚାଷୀଙ୍କୁ ଆକର୍ଷଣ କରିବାକୁ ଜୋରଦାର ଉଦ୍ୟମ ଚଳାଇଚି ବିଜେଡି। କରୋନା ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତରେ ଯାଉଛନ୍ତି। ସେଠାରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ଆୟୋଜନ ସହ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ଡେରା ପକାଇଛନ୍ତି କଳାହାଣ୍ଡିରେ। ହେଲେ ବିରୋଧୀ ଏସବୁ କେବଳ ଭୋଟ୍ ପଲିଟିକ୍ସ ଓ ଭାବମୂର୍ତ୍ତି ସଜାଡ଼ିବାକୁ ପ୍ରୟାସ ବୋଲି କହିଛି।

ଆସନ୍ତାକାଲି କଳାହାଣ୍ଡିରେ ବିଜେଡି ସରକାରର ମେଗା ଶେ’ ଦେଖିବାକୁ ମିଳିବ। କୋଭିଡ ପରେ ପ୍ରଥମ ଥର ପାଇଁ ଆସନ୍ତାକାଲି ଆୟୋଜନ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟକ୍ରମ। ଆଉ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରାୟ ୮୦ ଜଣ ବିଧାୟକ। ମକର ସଂକ୍ରାନ୍ତିରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ।

ଏଥିପାଇଁ କଳାହାଣ୍ଡି ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଗଲାଣି। ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ୩ଟି ଷ୍ଟେଜ୍ ନିର୍ମାଣ କରାଯାଉଛି। ତେବେ RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ଏହି କାର୍ଯ୍ୟକ୍ରମକୁ ଯାଇପାରିବେ।

ତେବେ ଦଳର ଏତେବଡ଼ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସ୍ଥାନୀୟ ନେତାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଓ ଜିଲ୍ଲା ପ୍ରଶାସନ ବି ଫୁଲ୍ ଦମ୍‌ରେ ଲାଗିପଡ଼ିଛି। ଜଳସେଚନ ହେବାକୁ ଥିବା ସବୁ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ହେବ। ସେସବୁ ପଞ୍ଚାୟତଗୁଡ଼ିକରେ ନିମନ୍ତ୍ରିତ ଦଳୀୟ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବେ। କାରଣ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପିତ ହେବ। ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ।

ଏନେଇ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି ଯେ ବିଶେଷ କରି କୋକ୍‌ସରା,ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳକୁ ଯେଉଁ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ରୂପେ ବିବେଚନା କରାଯାଉଥିଲା ସେଥିରୁ ଏବେ ନିସ୍ତାର ମିଳିବ। ଇନ୍ଦ୍ରାବତୀର ଉଠାଜଳସେଚନ ପାଇଁ ଲୋକମାନେ ବହୁଦିନ ଧରି ଯେଉଁ ଦାବି କରି ଆସୁଥିଲେ ତାହା ସାକାର ହେବାକୁ ଯାଉଛି ବୋଲି ପୁଷ୍ପେନ୍ଦ୍ର ସିଂହ ଦେଓ କହିଛନ୍ତି।

ତେବେ ପଶ୍ଚିମ ଓଡ଼ିଶାକୁ ଫୋକ୍‌ସରେ ରଖିବା ହିଁ ଏହି କାର୍ଯ୍ୟକ୍ରମ ପଛର ପ୍ରକୃତ କାରଣ ବୋଲି କୁହାଯାଉଛି। ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ କୃଷକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଏଭଳି ଉଦ୍ୟମ ଚଳାଇଥିବା କୁହାଯାଉଛି। କାରଣ ୧୯  ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ୫ରୁ ୫ଟି ଲୋକସଭା ଆସନ ବିଜେଡି ହାତରୁ ଖସିଯାଇଥିଲା। ଗତ ପଂଚାୟତ ନିର୍ବାଚନରେ ବି କଳାହାଣ୍ଡି ଜିଲ୍ଲାରେ ବିଜେଡି ସବୁଠୁ ଖରାପ ପ୍ରଦର୍ଶନ କରିଥିଲା। ଏପରିକି ମାତ୍ର ଗୋଟିଏ ଜିଲ୍ଲା ପରିଷଦ ସିଟ୍ ହାତେଇଥିଲା ବିଜେଡି। ହେଲେ ଆଗକୁ ପଂଚାୟତ ଏବଂ ପୌର ନିର୍ବାଚନ ଆସୁଛି। ଏହାକୁ ଆଖି ଆଗରେ ରଖି ବିଜେଡି ସରକାର କଳାହାଣ୍ଡିରେ ମେଗା ଇଭେଣ୍ଟ ଆୟୋଜନ କରିଛି ବୋଲି କୁହାଯାଉଛି।

ତେବେ ମହାଙ୍ଗା ହତ୍ୟାକାଣ୍ଡରୁ ନୟାଗଡ଼ ନାବାଳିକା ଘଟଣା ଆଦି ବିଜେପି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟରେ ଅଭିଯାନ ଚଳାଇଛି। ଏଣୁ ଏହାକୁ କାଉଣ୍ଟର ପାଇଁ ବିଜେଡି ଏହି ମେଗା ଇଭେଣ୍ଟର ଆୟୋଜନ କରୁଥାଇପାରେ ବୋଲି ପ୍ରଶ୍ନ ଉଠିଛି।

ଏବେ ଏମିତି ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଭବାନୀପାଟଣାରେ କଳାପତାକା ପ୍ରଦର୍ଶନ କରିଥିଲା କଂଗ୍ରେସ। ତା ସହିତ କଂଗ୍ରେସ ନେତା ମଧ୍ୟ ଏହାକୁ ସମାଲୋଚନା କରିଥିଲା। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ” ବିଜେଡି ସରକାରଙ୍କର ଭାବମୂର୍ତ୍ତୀ ଖରାପ ହୋଇଛି। ଏବାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟ କରୁଛନ୍ତି।”

ଅନ୍ୟପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ” ବିଜେଡିର ଲୋକପ୍ରିୟତା କାଳକ୍ରମେ ହ୍ରାସ ହେଉଛି। ଆଗକୁ ମ୍ୟୁନିସିପାଲଟି ନିର୍ବାଚନ ଅଛି, ତେଣୁ ପ୍ରଭାବ ପକାଇବାକୁ ବିଜେଡି ଏପରି ଚେଷ୍ଟା କରୁଛି।”

କିଛି ଦିନ ପୂର୍ବରୁ ପୂବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଷ ପରିଷଦର ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। ତେଣୁ ପଶ୍ଚିମ ଓଡ଼ିଶା କାର୍ଡ କେତେ କାମ ଦେଉଛି, ତାଉପରେ ସମସ୍ତଙ୍କ ନଜର।

You might also like