ମହିଳା କାର୍ଡ ପରେ ବିଜେଡି ଖେଳିଲା ଚାଷୀ କାର୍ଡ

ଚାଷୀ ସମସ୍ୟା ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏଥର ଜିଲ୍ଲା କି ରାଜ୍ୟସ୍ତରରେ ନୁହେଁ, ଦିଲ୍ଲୀରେ କରିବ ଗର୍ଜନ। ଆଉ ଟାର୍ଗେଟ୍‌ରେ ରହିବେ ମୋଦି ସରକାର। ଚାଷୀ ସମସ୍ୟାକୁ ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳ ଓ ଅନ୍ୟ ବରିଷ୍ଠ ନେତାମାନେ ଏ ସଂପର୍କରେ ଘୋଷଣା କରିଛନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କ୍ଷମତାସୀନ ଦଳକୁ ହରାଇବାକୁ ଚାଷୀ ଯେଭଳି ନିର୍ଣ୍ଣାୟକ ଭୂମିକା ନେଲେ ତାକୁ ଦୃଷ୍ଟିରେ ରଖି ବିଜେଡି ଚାଷୀଙ୍କୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳ ଦାବି କରିଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ୩୦ ଟଙ୍କା କରିବା ସହ ଓ ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରାଯାଉ। ଖାଲି ସେତିକି ନୁହେଁ, ବିଧାନସଭା ଗୃହ କମିଟି ଏମ୍ଏସ୍‌ପି ପ୍ରସଙ୍ଗରେ ବାରମ୍ବାର ସମୟ ମାଗିଥିଲେ ବି ପ୍ରଧାନମନ୍ତ୍ରୀ ସମୟ ଦେଉନଥିବା ଦଳ ଅଭିଯୋଗ କରିଛି।

ସେପଟେ ମଣ୍ଡି ଅବ୍ୟବସ୍ଥା, ଚାଷୀଙ୍କୁ ନିର୍ଦ୍ଧାରିତ ଦର ନମିଳିବା, ମିଲର-ସରକାରଙ୍କ ମଧୁଚନ୍ଦ୍ରିକା ଭଳି ସାଂଘାତିକ ଅଭିଯୋଗ ଆଣି ପାଲଟା ବିଜେଡି ଉପରେ ଦୋଷ ଲଦିଛି ବିଜେପି। କେବଳ ନିର୍ବାଚନ ଥିବାରୁ ବିଜେଡି ଚାଷୀଙ୍କୁ ଡରୁଛି ବୋଲି ଦଳ ଅଭିଯୋଗ କରିଛି। କଂଗ୍ରେସ କହିଛି ଚାଷୀଙ୍କ ପ୍ରତି ନବୀନଙ୍କ ଆନ୍ତରିକତା ନାହିଁ। କେବଳ ଭୋଟ୍ ପାଇଁ ଏଭଳି ଡ୍ରାମା।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ପୂର୍ବରୁ ମଧ୍ୟ ବିଜେଡି ଆନ୍ଦୋଳନ କରିଛି। ହେଲେ ଏଥର ଦିଲ୍ଲୀ କାହିଁକି? ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବାରୁ ନବୀନଙ୍କୁ ଟାର୍ଗେଟ୍ କରିବା ସମ୍ଭାବନା ରହିଛି। ତେଣୁ ଦିଲ୍ଲୀ ଦରବାରରେ ତାର କାଉଣ୍ଟର କରିବାକୁ ବିଜେଡିର ଏହି ତୟାରି ନୁହେଁ ତ?

 

 

You might also like