କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା !

ଭୁବନେଶ୍ୱର: ନବ ଦାସ ବିଜେଡିରେ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି।

କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍‌ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଏବଂ ବରିଷ୍ଠ ନେତା ଅନୁପ ସାଏ ପ୍ରମୁଖ ଏହି ବୈଠକରେ ସାମିଲ୍ ହୋଇଛନ୍ତି।

ଗତକାଲି ନବଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆସନ୍ତା ୨୪ରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିବା ସମ୍ଭାବନା ରହିଛି।

ଝାରସୁଗୁଡ଼ାରୁ ନବ ଦାସଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି କିଶୋର ମହାନ୍ତି। ବିଜେଡିକୁ ନବ ଦାସ ଯିବା ପରେ କିଶୋରଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାକୁ ନେଇ ନାନା ଚର୍ଚ୍ଚା ହେଉଛି।

ଅନ୍ୟପଟେ କଂଗ୍ରେସରେ ଦଳ ବଦଳକୁ ରୋକିବାକୁ ଉଦ୍ୟମ ହୋଇଛି। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ।

ବିଶେଷ କରି ୨ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଇଙ୍ଗିତ ଦେଇଛନ୍ତି ହେମାନନ୍ଦ। ଇସ୍ତଫା ଦେବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର କରାଯାଇଛି ବୋଲି ହେମାନନ୍ଦ ବିଶ୍ୱାଳ କହିଛନ୍ତି।

You might also like