ଭୁବନେଶ୍ୱର: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ପୁଣି ଥରେ 5 T ମନ୍ତ୍ର ଦୋହରାଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ 5T କୁ ଗୁରୁତ୍ୱ ଦେବା ଲାଗି ସେ ଦଳର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ଗତ ସାଧାରଣ ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ମିଳିଥିବାରୁ ସେମାନଙ୍କ ପାଖରେ ଋଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦଳକୁ ତୃଣୂଳସ୍ତରରୁ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ କର୍ମୀଙ୍କୁ ଆହ୍ୱାନ ଦେବାସହ ଗାନ୍ଧିଜୀଙ୍କ ଚିନ୍ତାଧାରାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।
ଦଳକୁ ସୁଦୃଢ଼ କରିବାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରିବାକୁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୧୫ ଦିନରେ ଥରେ ସଭ୍ୟ ସଂଗ୍ରହ କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ।
କର୍ମୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁ ନିର୍ବାଚନରେ ବିଜୟ ଧାରା ବଜାୟ ରହିଥିବାରୁ ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
ଭୁବନେଶ୍ୱରରେ ହୋଇଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି ବିଜେଡି। ପ୍ରତି ଓ୍ୱାର୍ଡରୁ ୪ ଜଣ ଲେଖାଏ, NACରୁ ୫, ମ୍ୟୁନିସିପାଲଟିରୁ ୧୫ ଜଣ ଲେଖାଏ ସକ୍ରିୟ ସଦସ୍ୟ ରହିବେ। କର୍ପୋରେସନରୁ ରହିବେ ୪୦ ଜଣ ସକ୍ରିୟ ସଦସ୍ୟ। ନିଜକୁ ମିଶାଇ ପ୍ରତ୍ୟେକ ସକ୍ରିୟ ସଦସ୍ୟ ୨୫ ଜଣ ସଦସ୍ୟ ସଂଗ୍ରହ କରିବେ। ତେବେ ୨ ଗୁଣା ସଦସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ସବୁ ସଦସ୍ୟଙ୍କ ଆଧାର ଲିଙ୍କ୍ କରାଯିବ।
ଲୋକେ ଯେପରି ସରକାରୀ ଯୋଜନାରୁ ଲାଭ ପାଇବେ, ତାହା ସୁନିଶ୍ଚିତ କରାଯିବ ବୋଲି କୁହାଯାଇଛି।