ମୋଦି ନବୀନ ସାଥ୍ ସାଥ୍
ବିଜେଡିର ସମର୍ଥନ ପରେ ସଂପର୍କର ନୂଅା ଭିତ୍ତିକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର : ସାଥି ହେଲେ ମୋଦି ନବୀନ। ଭୋଟ୍ ଦେଇ ଏନ୍ଡିଏ ପ୍ରାର୍ଥୀଙ୍କୁ ଦେଲେ ରାଜ୍ୟସଭା ଉପାଧ୍ୟକ୍ଷ ସିଂହାସନ। ଦାଣ୍ଡରେ ପଡ଼ିଲା ବିଜେଡିର ସମଦୂରତା ଷ୍ଟାଣ୍ଡ। ହେଲେ କାହିଁକି ଏନ୍ଡିଏ ଅାଡ଼କୁ ଢଳିଲା ବିଜେଡି। ଏହା ପଛର ରହସ୍ୟ କଣ? ବିଜେଡି-ବିଜେପି ଭିତରେ ରହିଛି କି ଭିତିରିଅା ମଧୁଚନ୍ଦ୍ରିକା ? ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ବିଜେଡିର ବାଧ୍ୟବାଧକତା ନା କାମ କଲା କେନ୍ଦ୍ରର ଚାପ କୌଶଳ?
ସବୁଠାରୁ ବଡ଼ କଥା ହେଉଛି ସମର୍ଥନ ପଛରେ ବିଜେଡି ଯେଉଁ ଯୁକ୍ତି ଦର୍ଶାଉଛି, ତାହା ବି ରହସ୍ୟକୁ ଅାହୁରି ବଢ଼ାଉଛି। ରାତାରାତି ବିଜେଡିର ସମଦୂରତା, ସମ୍ମତିକୁ ବଦଳିବା ପଛରେ ଅନେକ କିଛି କାରଣକୁ ନେଇ ଚର୍ଚ୍ଚା। ସେ ଭିତରୁ ପ୍ରମୁଖ ହେଉଛି ୨୦୧୯ର କ୍ଷମତା ଗଣିତ।
ଚିଟ୍ଫଣ୍ଡ, ବ୍ଲାକ୍ରୋଜ୍, ଟିଟୋ ପେଟ୍ରୋଲ ପମ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସିବିଅାଇ ଭୟରୁ ବଞ୍ଚିବା ପାଇଁ ଇଏ ବି ଏକ ବାଟ ହୋଇପାରେ, ନା ବିଭିନ୍ନ କେଳେଙ୍କାରୀର ସନ୍ଦେହ ବଳୟରେ ଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀର କାର୍ପଟଦାରଙ୍କୁ ସୁରକ୍ଷା ଦେବାକୁ ଇଏ ବିଜେଡିର ସୁଚିନ୍ତିତ ରଣନୀତି। ଏସବୁ ପ୍ରସଙ୍ଗକୁ ଉଖାରି କଂଗ୍ରେସ କହିଛି ରାଜ୍ୟରେ ବିଜେପି ହେଉଛି ବିଜେଡିର ବି ଟିମ୍।
ପଲ୍ଲୀରେ କୁସ୍ତି ଅାଉ ଦିଲ୍ଲୀରେ ଦୋସ୍ତି। ବିଜେଡି-ବିଜେପିର ଏ ଅାଭିମୁଖ୍ୟ ରାଜ୍ୟ ରାଜନୀତିକୁ କେଉଁ ଦିଶା ଦେବ ? କଣ ହେବ ବିଜେପିର ମିଶନ୍ ୧୨୦ ଟାର୍ଗେଟ୍ ? ରାଜ୍ୟ ରାଜନୀତିର ପ୍ରତିଟି ଗଳିକନ୍ଦିରେ ଏବେ ଏମିତି ସବୁ ପ୍ରଶ୍ନ।
ଲୋକସଭା ଅନାସ୍ଥା ଭୋଟ୍ରେ ବିଜେଡିର କକ୍ଷତ୍ୟାଗ। ଅାସାମ ଏନ୍ଆର୍ସି ପ୍ରସଙ୍ଗରେ ବିଜେଡିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଶଂସା। ଅାଉ ଏବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ଏସବୁଥିରୁ କେବଳ ବିରୋଧୀ ନୁହେଁ ସାଧାରଣରେ ବି ଚର୍ଚ୍ଚା ବିଜେଡି ଓ ବିଜେପି ସଂପର୍କରେ -କୁଛ୍ ତୋ ହେ ।