ବିଜେପି ନେତା ହତ୍ୟା ଘଟଣା; ଅଭିଯୋଗ ପରେ ମୁହଁ ଖୋଲିଲା ବିଜେଡି

ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳ ହତ୍ୟା ଘଟଣାରେ ଶାସକ ଦଳ ଉପରେ ଆଙ୍ଗୁଳି ଉଠିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି ଯେ ରାଜନୈତିକ ହିଂସା ପ୍ରତି ଓଡ଼ିଶା ସରକାର ସବୁବେଳେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଯେଉଁମାନେ ଆଜି ଆମ ଉପରେ ଆରୋପ ଲଗାଉଛନ୍ତି ଓ ଅଭିଯୋଗ କରୁଛନ୍ତି ସେମାନେ ମଧ୍ୟ ଅନେକ ରାଜ୍ୟରେ କ୍ଷମତାସୀନ ଅଛନ୍ତି ଏବଂ ସେଠି କେଉଁଭଳି ଭାବରେ ରାଜନୈତିକ ହିଂସା ହେଉଛି ତାହା କାହାକୁ ଅଛପା ନାହିଁ। ସେଥିପାଇଁ ବିଜୁ ଜନତା ଦଳ ସରକାରକୁ ସମାଲୋଚନା କରିବାରେ ସେମାନଙ୍କର କୌଣସି ନୈତିକ ଅଧିକାରୀ ନାହିଁ ବୋଲି ଚିନ୍ମୟ କହିଛନ୍ତି।

NCRB ରିପୋର୍ଟର ତଥ୍ୟ ରଖି ସେ ଆହୁରି କହିଛନ୍ତି “ତାଙ୍କରି ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ବା NCRBର ରିପୋର୍ଟ ଅନୁଯାୟୀ, ୨୦୧୯ର ରିପୋର୍ଟରେ ଓଡ଼ିଶାରେ ଗୋଟିଏ ବି ରାଜନୈତିକ ହତ୍ୟା ହୋଇନାହିଁ। ପଶ୍ଚିମବଙ୍ଗରେ ସର୍ବାଧିକ ରାଜନୈତି ହତ୍ୟା ହୋଇଛି। ତା ପଛକୁ ରହିଥିବା ବିହାର ଓ ଝାରଖଣ୍ଡରେ ୬ଟି ହୋଇଛି। ସେହିପରି କର୍ଣ୍ଣାଟକା ଓ ପଞ୍ଜାବରେ ୪ଟି ହତ୍ୟା ହୋଇଛି। ଏସବୁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ କ୍ଷମତାସୀନ ଅଛନ୍ତି।”

ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ବିରୋଧୀଙ୍କ ଟାର୍ଗେଟ୍‌କୁ ଦୁର୍ଭାଗ୍ୟ ଜନକ କହିବା ସହିତ ସେ କହିଛନ୍ତି “ଯେତେବେଳେ କଟକ ରୁରାଲ ଏସ୍‌ପି ବି. ଯୁଗଳ କିଶୋର କାହାରିଙ୍କୁ ଛଡ଼ାଯିବନି ବୋଲି ଦୃଢୋକ୍ତି ପ୍ରକାଶ କରିସାରିଲେଣି ସେ ସମୟରେ ଯେଉଁଭଳି ଭାବରେ ଆରୋପ ପ୍ରତ୍ୟାରୋପ କରଯାଉଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କାରଣ ବିଜେଡି ସବୁବେଳେ ରାଜନୈତିକ ହିଂସା ପ୍ରତି ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିଛି । ଆଇନ ନିଶ୍ଚିତ ତା ବାଟରେ ଯିବ, ସତ୍ୟର ଉନ୍ମୋଚନ ପାଇଁ  ତଦନ୍ତ ପ୍ରକ୍ରିୟା ଚାଲିଛି। ଆମକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ।”

ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ଅନେକ ବିଜେପି ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ୪୮ ଘଣ୍ଟାରେ ଦୋଷୀ ଧରା ନଗଲେ ରାଜ୍ୟରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଚେତାଇ ଦେଇଛନ୍ତି। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଘଟଣାରେ ସରକାରଙ୍କୁ ଟାର୍ଗେଟ୍ କରି ରାଜ୍ୟରେ ରାଜନୈତିକ ହିଂସା ସମ୍ପର୍ରକରେ କେନ୍ଦ୍ର ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି। ଏପଟେ ଓଡ଼ିଶା ମଧ୍ୟ ପଶ୍ଚିମବଙ୍ଗ ପଥରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ଜାତୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର।

ଅନ୍ୟପଟେ ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁ ଅଭିଯୁକ୍ତଙ୍କ ନାଁ ରହିଛି ତାଙ୍କ ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଫଟୋକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଏହି ଫଟୋରେ ମନ୍ତ୍ରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଯୁକ୍ତ ତଥା ନୃତାଙ୍ଗ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଅଛନ୍ତି। ସେହିପରେ ଅନ୍ୟ ଏକ ଫଟୋରେ ଅନ୍ୟଜଣେ ଅଭିଯୁକ୍ତ ତଥା ମାହାଙ୍ଗା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ସହ ମନ୍ତ୍ରୀ ରହିଥିବା ଦେଖିବାକୁ ମିଳୁଛି।

ସମାନ ଫଟୋରେ ଭିକାରୀଙ୍କ ସହ ପ୍ରଫୁଲ୍ଲ ବିଶ୍ୱାଳ ବି ରହିଛନ୍ତି। କେବଳ ମନ୍ତ୍ରୀ ପ୍ରତାପ ଜେନା ନୁହଁନ୍ତି, ବିଜେଡିର ବିଧାୟକ ଶଶିଭୂଷଣ ବେହେରା ଓ ଚନ୍ଦ୍ରସାରଥୀ ବେହେରାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ରହିଛି।

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କ’ଣ କହୁଛନ୍ତି ଶୁଣନ୍ତୁ-

ଏପଟେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ କଂଗ୍ରେସ ବି ଆଇନ୍‌ମନ୍ତ୍ରୀ ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଛି। ହତ୍ୟା ମାମଲାରେ ଏତଲା କପିରେ ଆଇନ୍‌ମନ୍ତ୍ରୀଙ୍କ ନାଁ ଥିବା ସତ୍ତ୍ୱେ ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ କିଭଳି ଯୋଗ ଦେଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ  ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ। ଏହି ଘଟଣା ଲଜ୍ଜାଜନକ ବୋଲି ସୁର କହିଛନ୍ତି।

ସେପଟେ ଘଟଣାରେ ଏଫଆଇଆର ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ଘଟଣାରେ ତାଙ୍କ ନାଁରେ ଏତଲା ହୋଇଛି। ତଦନ୍ତ ହେଲେ ସତ ଜଣାପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଲକ୍ଷ୍ୟ ହେଉ। ତେବେ ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ବୋଲି ପ୍ରତାପ କହିଛନ୍ତି। ସେ ଆହୁରି ମଧ୍ୟ କହିଚନ୍ତି ଯେ ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି। ତେବେ ଦୋଷୀ ଗିରଫ ହୋଇ କିପରି ଦଣ୍ଡ ପାଇବ ସେ ନେଇ ବ୍ୟକ୍ତିଗତ ଭାବେ ତାଙ୍କ ଉଦ୍ୟମ ରହିବ ବୋଲି ପ୍ରତାପ କହିଛନ୍ତି।

ସୂଚନା ଥାଉକି ମାହାଙ୍ଗା ବିଜେପି ନେତା କୁଳମଣିଙ୍କ ହତ୍ୟା ଘଟଣାରେ ତାଙ୍କ ପୁଅ ରମାକାନ୍ତ ଆଇନମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।  ଏ ସମ୍ପର୍କରେ ସୂଚନା ଦେଇ ଗତକାଲି ରମାକାନ୍ତ କହିଥିଲେ” ସରକାରୀ ଦଳର ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଦ୍ୱାରା ଏମିତି ହୋଇଛି। ସମ୍ପୂର୍ଣ୍ଣ ଭାବରେ ଏଥିରେ ଆଇନ୍‌ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କରି ନିର୍ଦ୍ଦେଶରେ ଏସବୁ ହୋଇଛି।” ତେବେ ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ୧୨ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।

 

You might also like