ଦିଲ୍ଲୀରେ ଉଗ୍ର ଚାଷୀ ଆନ୍ଦୋଳନ ବେଳେ ବିଜେଡି ପୁଣି ଖେଳିଲା ଚାଷୀ କାର୍ଡ

ଭୁବନେଶ୍ୱର: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟ ରାଜନୀତିକୁ ପୁଣି ଫେରିଛି ଏମ୍ଏସ୍‌ପି ପ୍ରସଙ୍ଗ। ପ୍ରାୟ ଦେଢ଼ ବର୍ଷ ପରେ ହଠାତ୍ ନିଦ ଭାଙ୍ଗିଲା ପରି ଏହି ପ୍ରସଙ୍ଗ ଉଠାଇ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣା ବୃଦ୍ଧି କରିବାକୁ ସଂଙ୍କଳ୍ପ ପାରିତ କରି କେନ୍ଦ୍ରକୁ ପଠାଇବାକୁ ଯାଉଛି ରାଜ୍ୟ।

ପୁଣି ବିଜେଡି ଖେଳିଲା ଚାଷୀ କାର୍ଡ। ଗତକାଲିର କ୍ୟାବିନେଟ୍ ବୈଠକରେ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ତେବେ ବିଜେଡି ପାଇଁ ଏହି ପ୍ରସଙ୍ଗ ନୂଆ ନୁହେଁ। ଧାନର ଏମ୍ଏସ୍‌ପି ବୃଦ୍ଧି ନେଇ ପୂର୍ବରୁ ଭୁବନେଶ୍ୱରୁ ଦିଲ୍ଲୀ, ବିଧାନସଭାରୁ ପାର୍ଲାମେଣ୍ଟ ସବୁଠି ଜୋରଦାର ଦାବି କରିଥିଲା ଦଳ। ୨୦୧୭ ଓ ୧୮ରେ ସର୍ବସମ୍ମତି କ୍ରମେ ବିଧାନସଭାରେ ସଙ୍କଳ୍ପ ବି ପାରିତ ହୋଇଥିଲା। ହେଲେ ସେ ଦାବି ଏଯାଏଁ ପୂରଣ ହୋଇନି।

ଏବେ ଯେତେବେଳେ ଦିଲ୍ଲୀରେ ଚାଷୀ ପ୍ରସଙ୍ଗ ସରଗରମ ରହିଛି, ଠିକ୍ ସେତିକି ବେଳେ ଏମ୍ଏସ୍‌ପି କାର୍ଡ ଖେଳିଛି ବିଜେଡି। ଗୋଟିଏ ପଟେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ୍ କରୁନଥିବା ବେଳେ ଅନ୍ୟପଟେ ଏହି ପଦକ୍ଷେପ ନେଇ ଚାଷୀଙ୍କ ସହ ରହିଛି ବୋଲି ଦଳ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି। ବିଜେଡିର ଏଭଳି ଆଭିମୁଖ୍ୟକୁ କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି।

ରାଜ୍ୟ ପିସିସି ସଭାପତି ନିରଞ୍ଜନ ପୂଜାରି କହିଛନ୍ତି ଯେ ରାଜ୍ୟ ସରକାର ୨୦-୨୧ ବର୍ଷ ଧରି କେଉଁଠି ଶୋଇଥିଲେ ଆଜି ସ୍ୱାମୀନାଥନଙ୍କ କଥା ଶୁଣାଉଛନ୍ତି। ଏହା ଏକ ପ୍ରହସନ ବୋଲି ନିରଞ୍ଜନ କହିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ସରକାର କୃଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏପରି କରୁଛନ୍ତି। ଉତ୍ତର ରଖି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଚାଷୀଙ୍କ ପାଇଁ ଯାହା ଉଚିତ ତାହା କୁହାଯାଉଛି।

ରାଜ୍ୟରେ ଧାନର ଉତ୍ପାଦନ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩ଶହ ୪୪ ଟଙ୍କା ବୋଲି ସରକାର ଆକଳନ କରିଛନ୍ତି। ସେଥିପାଇଁ ଚାଷୀଙ୍କୁ ୨୯ଶହ ୩୦ ଟଙ୍କା ଦେବାକୁ ବିଜେଡି ଦାବି କରିଥିଲା। ଏବେ କିନ୍ତୁ  କୁଇଣ୍ଟାଲ ପ୍ରତି ଏମ୍ଏସ୍‌ପି ୧୮୬୮ ଟଙ୍କା ରହିଛି, ହେଲେ ଅନେକ ସମୟରେ  ଅଭାବୀ  ବିକ୍ରି ଯୋଗୁ ଚାଷୀ ସେତିକି ବି ପାଉନାହିଁ। ତେଣୁ ଚାଷୀ ନେତାମାନେ ମଧ୍ୟ ଏମ୍ଏସ୍‌ପି ବୃଦ୍ଧି ପାଇଁ ଦାବି କରିଛନ୍ତି।

କେନ୍ଦ୍ର ସରକାରଙ୍କ ଶୈଳୀରେ ରାଜ୍ୟ ସରକାର ମଧ୍ୟ କୃଷି ସଂପର୍କିତ ଅଧ୍ୟାଦେଶ ଆଣିବା ପରେ ଗୃହରେ ବିଲ୍ ବି ଆଗତ କରିଥିଲେ। ଯେଉଁଥିରେ ଏକ ରାଜ୍ୟ, ଏକ ବଜାର ବ୍ୟବସ୍ଥା ରହିଛି। କିନ୍ତୁ ପାର୍ଲାମେଣ୍ଟ ନୂଆ କୃଷି ବିଲ୍ ଆଗତ ବେଳେ ବିଜେଡି କିଛି ସର୍ତ୍ତ ରଖି ରାଜ୍ୟସଭାରେ ବିରୋଧ କରିଥିଲା। ଏବେ ପୁଣି ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଉଛି। ତେଣୁ ଆଗକୁ କେନ୍ଦ୍ର ବିରୋଧୀ ଲଢ଼େଇ ପାଇଁ ଗ୍ରାଉଣ୍ଡ ଓ୍ୱାର୍କ ନା ଏସବୁ କେବଳ ଚାଷୀ ପ୍ରତି ସମର୍ଥନ ଜୁଟାଇବା ଉଦ୍ୟମ, ତାକୁ ନେଇ ଚର୍ଚ୍ଚା।

You might also like