ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ

ଜୈବ ବିବିଧତାକୁ ଅାଳ କରି ପ୍ରକଳ୍ପକୁ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବିଧାୟକ ଦାସବର୍ମାଙ୍କ ବିରୋଧ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଚିଲିକାରେ ଓ୍ୱାଟର ଏରୋଡ୍ରମକୁ ନୀତିଗତ ଅନୁମୋଦନ ଦେବା ପରେ ବିଜେଡି ଶିବିରରୁ ଉଠିଛି ବିରୋଧର ସ୍ୱର। ଖୋଦ ବ୍ରହ୍ମଗିର ବିଧାୟକ ସଂଜୟ ଦାସ ବର୍ମା ଏରୋଡ୍ରମ ହେଲେ ଚିଲିକାର ଜୈବ ବିବିଧତା ବ୍ୟାହାତ ହେବ ବୋଲି ଦର୍ଶାଇ ଏହାର ପୁର୍ନବିଚାର ପାଇଁ କେନ୍ଦ୍ରକୁ ଅପିଲ କରିଛିନ୍ତି। ସଂଜୟଙ୍କ ଯୁକ୍ତି ଏରୋଡ୍ରମ ହେଲେ ୨ ଲକ୍ଷ ମତ୍ସଜୀବୀଙ୍କ ଜୀବିକା ପ୍ରଭାବିତ ହେବ। ୩୭୫ ପ୍ରକାର ମାଛ ,୨୩୦ ପ୍ରକାର ପକ୍ଷୀ ,୧୭୦ ଡଲଫିନଙ୍କ ବିଚରଣରେ ବାଧା ଉପୁଜିବ। ତେବେ ବିଜେପି କହିଛି,  ରାଜ୍ୟ ସରକାରଙ୍କ ଲକ୍ଷ୍ୟ ମୋଦିଙ୍କ ବିକାଶ ଧାରା ବାଟ ଓଗାଳିବା।

ଏପଟେ ବିଧାୟକଙ୍କ ସ୍ୱରରେ ସ୍ୱର ମିଶାଇଛନ୍ତି ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି। ଓ୍ୱାଟର ଏରୋଡ୍ରମକୁ ବିରୋଧ କରାଯିବ ବୋଲି ସିଧାସଳଖ ଶୁଣାଇ ଦେଇଛନ୍ତ ମହେଶ୍ୱର। ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏରୋଡ୍ରମକୁ ବିରୋଧ କରି ରାଜ୍ୟ ସରକାର ନିଯୁକ୍ତି  ସୁଯୋଗକୁ ବିରୋଧ କରୁଛନ୍ତି।  ଚିଲିକା ସହ ଦେଶର ୫ଟି ରାଜ୍ୟର ୱାଟର ଏରୋଡ୍ରମକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଇନ୍ ପ୍ରିନିସପିଲ ଅନୁମତି ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଚିଲିକା ସମେତ ଗୁଜରାଟର ସାବରମତି ଓ ସର୍ଦ୍ଦାର ସରୋବରକୁ ଚିହ୍ନଟ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଏ ନେଇ କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ।

ଚିଲିକାରେ ଓ୍ୱାଟର ଏରୋଡ୍ରମ ପ୍ରତିଷ୍ଠା ପାଇଁ ଗତ ଜୁନ ମାସରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଡିଜିସିଏ ତଥା ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍ ଜେଟ୍ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ସ୍ପାଇସ ଜେଟ୍‌ର ଚିଠିକୁ ଆଧାର କରି ଜୁନ ୨୫ରେ ସାଧାରଣ ପ୍ରଶାସନ ବିଭାଗ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖି ସି ପ୍ଲେନର ସମ୍ଭାବନାକୁ ନେଇ ରିପୋର୍ଟ ଦେବାକୁ କହିଥିଲା।

You might also like