ନିର୍ବାଚନ ନ ଲଢ଼ିବା ନେଇ ଓଟିଭିକୁ ସ୍ପଷ୍ଟ କଲେ ତଥାଗତ

ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡ଼ୁଥିବା କହିଲେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଓଟିଭି ସହ କଥା ହୋଇ ତଥାଗତ ଏନେଇ ସ୍ପଷ୍ଟ କରିଛନ୍ତି। ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛନ୍ତି ବୋଲି ତଥାଗତ କହିଛନ୍ତି।

ସାମ୍ବାଦିକତା କର ଓ ଘରେ ରୁହ ବୋଲି ପୁଅ କହିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ସବୁ ସାମ୍ବାଦିକ ମୁଣ୍ଡ ବିକି ଦେଇଛନ୍ତି। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକଙ୍କର ଅଭାବ ରହିଛି। ଏଣୁ ସେ ଏ ଦିଗରେ ଚେଷ୍ଟା କରିବେ ବୋଲି ତଥାଗତ କହିଛନ୍ତି।

ହେଲେ ଟିକେଟ ନ ମିଳିବା ନେଇ ତଥାଗତ କହିଛନ୍ତି ଯେ, ତାଙ୍କ ଟିକେଟ କାଟିବାକୁ କାହାର ବି ଦମ୍ ନାହିଁ। ସେ ନିର୍ବାଚନୀ ରାଜନୀତିରେ ଥିଲେ ନା ପ୍ରଫୁଲ୍ଲ ମଲ୍ଲିକ ,ନା ନିଧି ସାମଲଙ୍କୁ କ’ଣ ଟିକେ ଦିଆଯାଇଥାନ୍ତା ବୋଲି ଓଲଟି ପ୍ରଶ୍ନ କରିଛନ୍ତି। କେବଳ ପୁଅର ଚାପ ଯୋଗୁଁ ସାମ୍ବାଦିକତାକୁ ଗୁରୁତ୍ୱ ଦେବା ଲାଗି ରାଜନୀତିରୁ ଓହରୁଛନ୍ତି।

ଦୁଃଖ ନୁହେଁ, ମନ ଖୁସିରେ ସେ ଏ କଥା କହୁଛନ୍ତି ବୋଲି ତଥାଗତ ଓଟିଭିକୁ କହିଛନ୍ତି। ରାଜନୀତି ଛାଡ଼ିବା କଥା ଗତ ତିନି ମାସ ହେଲା କହି ଆସୁଛନ୍ତି। ନିର୍ବାଚନ ନ ଲଢ଼ିଲେ ବି କୌଣସି ଦଳରେ ସେ ଯୋଗଦେବେ ନାହିଁ ବୋଲି ତଥାଗତ ସ୍ପଷ୍ଟ କରିଛନ୍ତି।

ନିର୍ବାଚନ ସରିବାର ତିନି ଚାରି ମାସ ପରେ ଢେଙ୍କାନାଳ ବୁଲିବେ। ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଥିବା ସେ କହିଛନ୍ତି।

ତଥାଗତ ରାଜନୀତି ଛାଡ଼ିବାକୁ ହଠାତ୍ ନିଷ୍ପତ୍ତି ନେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, “ତଥାଗତଙ୍କ ଭଳି ଯୋଗ୍ୟ ଲୋକ ନିର୍ବାଚନ ଲଢିବା କଥା। ଭଲ କାମ କରିଥିବାରୁ ତାଙ୍କୁ ଆଉ ଥରେ ଲଢିବାକୁ ଲୋକେ ବାଧ୍ୟ କରିବେ।”

ସେହିଭଳି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, “ତଥାଗତଙ୍କ ଏହା ବ୍ୟକ୍ତିଗତ ନିଷ୍ପତ୍ତି। ନିର୍ବାଚନ ନ ଲଢିଲେ ବି ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ରାଜନୀତିରେ ରହି ପାରିବେ।”

You might also like