‘ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନୁହଁ’

ଭୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଦଳକୁ ଏବେ ଘାରିଛି ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା।  ଏଠାରେ ବିଜେଡିର ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ବ୍ଲକର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଦଳକୁ ଅଧିକ ମଜଭୁତ ପାଇଁ ଏହି ସମ୍ମିଳନୀର ଆୟୋଜନ ବୋଲି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହୁଥିବା ବେଳେ କୌଣସି ପରିସ୍ଥିତିରେ ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନୁହଁ ବୋଲି ସେ ମତ ରଖିଛନ୍ତି।  ଏହାସହ ସମସ୍ତେ ଭାବନ୍ତି କି ନେତା ଚାଲିଗଲେ, କର୍ମୀ ଚାଲିଯିବେ, ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ପାରାଦୀପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଯଥା ପଦଯାତ୍ରାଠୁ ଆରମ୍ଭ କରି ମହିଳା ସମୃଦ୍ଧି, ଯୁବ ସମୃଦ୍ଧି କିଭଳି ହୋଇପାରିବ ସେନେଇ ଆଲୋଚନା ହୋଇଛି ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି।

ବୈଠକରେ ଜଗତସିଂହପୁର ସାଂସଦ କୁଳମଣି ସାମଲ, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

You might also like