ଝାରସୁଗୁଡା: ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲ୍ରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ। ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି। ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି।
ଝାରସୁଗୁଡ଼ା ବ୍ଲକ ହିର୍ମା ଗାଁର ଜିଆରଏସ୍ ରାଧେଶ୍ୱାମ ସାହୁଙ୍କୁ ଫୋନ୍ କରି ବିଶ୍ୱନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି। ପାୱାର୍ ଦେଖିବୁ କି କହିବା ସହ ଦୁଇ ଦିନରେ ଚାକିରିରୁ କାଢ଼ି ଦେବାକୁ ଧମକ ଦେଇଛନ୍ତି ବିଶ୍ୱନାଥ। ପାର୍ଟି ବିରୋଧରେ ଯାଉଛୁ, ସସ୍ପେଣ୍ଡ କରିଦେବୁ ବୋଲି ବିଶ୍ୱନାଥ, ରାଧେଶ୍ୱାମଙ୍କୁ ଫୋନ୍ରେ ଚେତାବନୀ ଦେଇଛନ୍ତି। ଯାହାର ଜବାବ ରଖି ରାଧେଶ୍ୟାମ ଚାକିରି ଛାଡ଼ି ଦେବେ ବୋଲି କହିଛନ୍ତି।
ଏହି କଥାବାର୍ତ୍ତାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଅଭିଯୋଗ ଅନୁସାରେ, ବିଶ୍ୱନାଥ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ନିକଟତର। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ନବଙ୍କ ସମେତ ଅନ୍ୟ ନେତାଙ୍କ ସହ ସାମିଲ ହୋଇଥିବା ଫଟୋ ରହିଛି। ଏନେଇ ବିରୋଧୀ ବିଜେପି ନବ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି। ତେବେ ବିବାଦକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ମନ୍ତ୍ରୀ ନବ ଦାସ। ସେହିପରି ଏସମ୍ପର୍କରେ ବିଶ୍ୱନାଥଙ୍କ ପ୍ରତିକ୍ରିୟା ମିଳିପାରିନି।