ପ୍ରତିଷ୍ଠା ଦିବସରେ ଭୋଟ୍ ବିଗୁଲ୍ ବଜାଇବ ବିଜେଡି

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ସାଧାରଣ ନିର୍ବାଚନ ପାଇଁ କାଲି ବିଗୁଲ୍‌ ବଜାଇବ ବିଜେଡି। ତେବେ ଏହି ଅବସରରେ କେଉଁ ପ୍ରସଙ୍ଗ ସାମ୍ନାକୁ ଆଣି କାର୍ଡ ଖୋଲିବେ ନବୀନ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଦଳର ୨୧ତମ ଜନ୍ମଦିନ ପାଳିବାକୁ ଜିଲ୍ଲା ପରିଷଦ ଜୋନ୍‌ରୁ ରାଜଧାନୀ ଯାଏ ଚଳଚଞ୍ଚଳ ହୋଇପଡ଼ିଛି ବିଜେଡି କ୍ୟାମ୍ପ୍। ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ସବୁ ପଞ୍ଚାୟତର ନେତା ଓ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଚିଟ୍‌ଫଣ୍ଡ୍‌ଠାରୁ ନେଇ ବିଭିନ୍ନ ଦୁର୍ନୀତିରେ ନେତାଙ୍କ ସଂପୃକ୍ତି ନେଇ ମଳିନ ହେଉଥିବା ବିଜେଡିର ଛବି, ବଢୁଥିବା ଅନ୍ତର୍ଦ୍ୱନ୍ଦ୍ୱ, ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି, ସରକାର ବିରୋଧରେ ବଢୁଥିବା ହାଓ୍ୱା ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ଏଭଳି ସ୍ଥିତିରେ ନବୀନ କ’ଣ ବାର୍ତ୍ତା ଦେବେ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ତେବେ କେନ୍ଦ୍ରୀୟ ଅବହେଳା, ନବୀନଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଯୋଜନା କରିଥିବା ନେତା କହୁଛନ୍ତି। କୁହାଯାଉଛି, ପ୍ରତିଷ୍ଠା ଦିବସରେ ମୋଦିଙ୍କ ପ୍ରଶ୍ନର ବି ଜବାବ ଦେବେ ନବୀନ।

ଅନ୍ୟପଟେ ପ୍ରତିଷ୍ଠା ଦିବସ ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସ ଓ ବିଜେପି।

ସମ୍ବିଧାନରେ ପଞ୍ଚାୟତକୁ ଦିଆଯାଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି କଂଗ୍ରେସ କଳାଦିବସ ପାଳିବାକୁ ଯଆଉଛି। ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛି ଦଳ। ସେହିଭଳି ଆସନ୍ତାକାଲିଠାରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସରକାରଙ୍କ ବିରୋଧରେ ‘ଜବାବ୍ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ବିଜେଡିର ପ୍ରତିଷ୍ଠା ଦିବସ, କଂଗ୍ରେସର କଳାଦିବସ ଓ ବିଜେପି ଯୁବ ମୋର୍ଚ୍ଚାର ଅଭିଯାନ ଗୋଟିଏ ଦିନରେ ତିନି ଦଳର ରାଜ୍ୟରେ ବଢୁଥିବା ନିର୍ବାନୀ ଉଷ୍ଣତା ଓ ଲୋକଙ୍କ ନିକଟତର ହେବାକୁ ପ୍ରତିଯୋଗିତାକୁ ସୂଚାଉଛି।

 

You might also like