ବଲାଙ୍ଗିର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।
ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ କିଛି ଲୋକ ବିଜେଡି ଜିନ୍ଦାବାଦ୍ ସହ ସ୍ଥାନୀୟ ନେତାଙ୍କ ନାଁ ଧରି ଜିନ୍ଦାବାଦ କରିଥିଲେ। ଏହାର ପ୍ରତିବାଦ କରି ଉପସ୍ଥିତ ବିଧାୟକ ନରସିଂହ ମିଶ୍ର କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଆସିଥିଲେ।
କିଛି ସମୟ ପାଇଁ ସେଠାରେ କଂଗ୍ରେସ ଓ ବିଜେଡି କର୍ମୀ ନିଜ ନିଜ ନେତାଙ୍କ ସ୍ଲୋଗାନ୍ ଏବଂ ନାରାବାଜି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ନରସିଂହ ମିଶ୍ର ନିଜ ଅଫିସରେ ସାମ୍ବାଦିକ ସମ୍ମିଳନୀ ଡକାଇ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ଦଳ ଦାଦାଗିରି କରୁଥିବା ଅଭିଯୋଗ କରିଥିଲେ।
ଅନ୍ୟପଟେ ଦାଦାଗିରି କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅର୍କେଶ ନାରାୟଣ ସିଂଦେଓ। ସେପଟେ ବିଜେଡିର ନାରାବାଜି ନେଇ ଭିଡିଓ ସୋଶାଲ ମିଡିଆରେ ଘୂରି ବୁଲୁଛି।