କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି

ଭୁବନେଶ୍ୱର: କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କୃଷକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆଶଙ୍କା ଓ ଦ୍ୱନ୍ଦ୍ୱ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର ୯ରେ ସରକାର ଓ କୃଷକଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସମସ୍ୟା ଦୂର ନେଇ ବିଜେଡି ଆଶାବାଦୀ ରହିଛି। MSPକୁ ଦୁଇଗୁଣା ବୃଦ୍ଧି ଲାଗି ବିଜେଡି ଦାବି କରିଆସୁଛି। ବିଜେଡି ସବୁବେଳେ କୃଷକଙ୍କ ସ୍ୱାର୍ଥର ସମର୍ଥନରେ ଥାଏ ବୋଲି ସସ୍ମିତ କହିଛନ୍ତି।

ଏପଟେ ଆସନ୍ତାକାଲି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି। ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ରାସ୍ତା ବନ୍ଦ କରାଯିବ ।  କଂଗ୍ରେସର ସମସ୍ତ ନେତା ଭାରତ ବନ୍ଦରେ ସାମିଲ ହେବେ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ବିଜେପି କହିଛି, ବାମପନ୍ଥୀ ଦଳ ଓ କଂଗ୍ରେସ କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଆନ୍ଦେ।ଳନ କରାଉଛନ୍ତି ।

ନୂଆ କୃଷି ଆଇନ ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ଏହାସହ ରାଜ୍ୟରେ ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀଙ୍କ ସମସ୍ୟା ପ୍ରତି ଆମର ରାଜନୈତିକ ସମର୍ଥନ ରହିଥିବା ବିଜେଡି ସ୍ପଷ୍ଟ କରିଛି ।

ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ୍ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

You might also like